ଖଲି ବୋଝେଇ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ ଜଣେ ଗୁରୁତର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗୁରୁବାର ବିଳମ୍ବିତ ରାତ୍ରିରେ ବେଲଗୁଣ୍ଠା ବ୍ଳକ୍ ଇନ୍ଧନପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତି୍ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି I ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ କନ୍ଧମାଳ ଜିଲ୍ଳା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ଗ୍ରାମର ରାଜକିଶୋର ଦିଗାଲ (37) I ସୂଚନା ପ୍ରକାରେ ରାଜକିଶୋର ନିଜ ସହଯୋଗୀଙ୍କ ସହ OD07P7595 ନମ୍ବର୍ ବିଶିଷ୍ଟ ଏକ ମାକ୍ସ ପିକ୍ଅପ୍ ଭ୍ୟାନ୍ ରେ ଖଲି ବୋଝେଇ କରି ରାଇକିଆରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ I ସେମାନେ ରାତ୍ରି ଗୋଟାଏ ତିରିଶ୍ ମିନଟ୍ ସମୟରେ ଇନ୍ଧନପୁର ରୋଟି ଫ୍ୟାକ୍ଟ୍ରି ନିକଟରେ ପରିସ୍ରା ଯିବା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ I ଏହି ସମୟରେ ଭଞ୍ଜନଗରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା OD07AH7969 ନମ୍ବର୍ ବିଶିଷ୍ଟ ଏକ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା I ଟ୍ରକ୍ ଟି ରାଜକିଶୋରଙ୍କୁ ପ୍ରାୟ 300 ମିଟର ଘୋଷାରି ନେଇଯାଇଥିଲା I ଫଳରେ ଘଟଣା ସ୍ଥଳରେ ହିଁ ରାଜକିଶୋରଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ସହଯୋଗୀ ଗୁରୁତର ଆହତ ହୋଇଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ରାଜକିଶୋର ଏବଂ ଗୁରୁତର ଆହତ ହୋଇଥିବା ତାଙ୍କ ସହଯୋଗୀଙ୍କୁ ଭଞ୍ଜନଗର ମେଡିକାଲ୍ କୁ ପଠାଇବା ସହିତ ଦୂର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ଟ୍ରକ୍ ଡ଼୍ରାଇଭରକୁ ଗିରଫ କରିଥିଲେ I ମୃତ ରାଜକିଶୋରଙ୍କ ପତ୍ନୀ ରୋଜାଲିନ୍ ଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ଥାନାରେ 251/22 ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ