ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ବୃତ୍ତିଗତ କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀଙ୍କ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ରହିଥିବା ବୃତ୍ତିଗତ ସମ୍ଭାବନା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭାଗମୁଖ୍ୟ ଡକ୍ଟର ସୁଶୀଲ କୁମାର ରାଠୋରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଅଧ୍ୟାପକ ଡକ୍ଟର ବିଭୂତି ପ୍ରସାଦ ବାରିକ ଅତିଥି ପରିଚୟ ଓ ସ୍ଵାଗତ ସମ୍ଭାଷଣ ରଖିଥିଲେ । ‘ପ୍ରାଣୀବିଜ୍ଞାନର ବୌଦ୍ଧିକ ସମ୍ପତ୍ତି ଅଧିକାର: ବୃତ୍ତିଗତ ସୁଯୋଗ’ ଶୀର୍ଷକ ଏହି ବୃତ୍ତିଗତ କର୍ମଶାଳାର ପ୍ରଥମ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁ ଏବଂ ବରିଷ୍ଠ ପ୍ରାଧ୍ୟାପକ ଡ. ଦୀପକ କୁମାର ମିଶ୍ର l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଆୟୋଜିତ ଏହି କର୍ମଶାଳାରେ ପରାମର୍ଶଦାତା ଭାବରେ ପ୍ରଥମ ଅଧିବେଶନ ଯୋଗ ଦେଇଥିଲେ ଧାତବ ତଥା ଖଣିଜ ବିଦ୍ୟା ଅନୁଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ. ଟି. ପବନ କୁମାର ଓ ବାଇଓପାୟୋନିୟର ସଂସ୍ଥାର ପ୍ରତିଷ୍ଠାତା ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ l ଦ୍ଵିତୀୟ ଅଧିବେଶନ ର ଅତିଥି ଥିଲେ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମନୋଜ କୁମାର ପଟ୍ଟନାୟକ ଓ ଛାତ୍ର କଲ୍ୟାଣ ଅଧିକାରୀ ଡକ୍ଟର ଉଷାରାଣୀ ରଥ ଓ କର୍ମଶାଳାର ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ପ୍ରିୟାଂଶୁ ପଟ୍ଟନାୟକଙ୍କ ସମେତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଏନ. ସି.ପଟ୍ଟନାୟକ l ଏହି କର୍ମଶାଳା ରେ ଛାତ୍ରଛାତ୍ରୀମାନେ ବୃତ୍ତିଗତ ସୁଯୋଗ ସମ୍ପର୍କରେ ସୂଚନା ଲାଭକରି ବେଶ୍ ଉତ୍ସାହିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏହି କର୍ମଶାଳାରେ ବୃତ୍ତିଗତ ପରାମର୍ଶଦାତା ଭାବେ ଯୋଗ ଦେଇଥିବା ବିଷୟ ବିଶାରଦ ମାନଙ୍କୁ ଅଙ୍ଗବସ୍ତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୁରେନ୍ଦ୍ର ସେଠୀ, ଡକ୍ଟର ସନ୍ତୋଷ ଗୌଡ଼, ଡକ୍ଟର ବିଭାରାଣୀ ତ୍ରିପାଠୀ, ଅଧ୍ୟାପିକା ସୁନିତା ପାତ୍ର, ଅଧ୍ୟାପିକା ଶୁଭଶ୍ରୀ ଶତପଥୀ ପ୍ରମୁଖ ବିଶେଷ ସହଯୋଗ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।