ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୭୬ତମ ଏନ୍.ସି.ସି. ଦିବସ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଆଜି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୭୬ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି.) ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏନ୍.ସି.ସି. ପତାକା ଉତ୍ତୋଳନ କରିବା ସହ ସମର ଶିକ୍ଷାର୍ଥୀ ବାହିନୀଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର୍ ପଦ୍ମିନୀ ସାହୁ, କର୍ଣ୍ଣେଲ୍ ସମୀର କୁମାର କର, ସୁବେଦାର ମେଜର୍ ବିସମ୍ ଓ ଆର୍ମି ୱିଙ୍ଗ୍ କ୍ୟାପଟେନ୍ ଡ. ଯତୀନ ବିଷୋୟୀ ଏବଂ ନାଭାଲ୍ ୟୁନିଟ୍ର ତତ୍ତ୍ୱାବଧାରକ ଡ. ସୁଶୀଲ କୁମାର ରାଠୋର୍ଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ, ଆର୍ମି ଓ ନାଭାଲ୍ ୱିଙ୍ଗ୍ର ବହୁ ସୁବେଦାର ଉପସ୍ଥିତ ଥିଲେ । ମଂଚାସୀନ ଅତିଥିମାନେ ଦେଶ ଗଠନ, ଶୃଙ୍ଖଳିତ ଆଚରଣ ଓ ଉଚ୍ଚାରଣରେ ସମର ଶିକ୍ଷାର୍ଥୀ ବାହିନୀଙ୍କ ଥିବା ଅଗ୍ରଗଣ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବହୁ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସମରଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମର ଶିକ୍ଷାର୍ଥୀ ବାହିନୀ ବିଭିନ୍ନ ପ୍ରକାର ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶତାଧିକ ସମର ଶିକ୍ଷାର୍ଥୀବାହିନୀ ଅଂଶଗ୍ରହଣ କରିଥିଲେ ।