ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ଜାତୀୟ ପାଠଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗରେ ଫେବୃୟାରୀ ୮ ଓ ୯ ତାରିଖ ଦୁଇଦିନ ଧରି ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ‘ ଜାତୀୟ ଅସ୍ମିତା ଓ ହିନ୍ଦୀ ସାହିତ୍ୟ ‘ ଶୀର୍ଷକ ଏହି ଦ୍ବିଦିବସୀୟ ପାଠଚକ୍ରଟି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁଙ୍କ ଶ୍ରୀହସ୍ତ ରେ ବୃକ୍ଷରେ ଜଳ ସିଞ୍ଚନ ପୂର୍ବକ ଉଦଘାଟିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ପ୍ରଫେସର ରବୀନ୍ଦ୍ର ନାଥ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅରୁଣ କୁମାର ହୋତା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଞ୍ଜୁମନ ଆରା ପ୍ରମୁଖ ଯୋଗଦେଇ ହିନ୍ଦୀ ସାହିତ୍ୟରେ ଜାତୀୟ ଅସ୍ମିତାର ପ୍ରତିଫଳନ ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ l ଏହି ଦ୍ବିଦିବସୀୟ ପାଠଚକ୍ରଟି ହିନ୍ଦୀ ବିଭାଗର ସଂଯୋଜକ ଡ. ସୁସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ୱାଡେନ ଡ. ଦୀପକ କୁମାର ମିଶ୍ର ଏବଂ ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ l ଅଧ୍ୟାପକ ଡ. ସୌମ୍ୟ ରଞ୍ଜନ ଦାଶ,ଅଧ୍ୟାପିକା ସୁଶ୍ରୀ ଆଶା ଭାରତୀ, ଅଧ୍ୟାପିକା ପୂଜା ପଲାଇ ତଥା ବିଭାଗ ଛାତ୍ରଛାତ୍ରୀଙ୍କ ସହଯୋଗରେ ପାଠଚକ୍ରଟି ସଫଳ ହୋଇଥିଲା l ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ଗବେଷକ ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଏ ଅବସରରେ ବିଭାଗ ପକ୍ଷରୁ ସଂକ୍ଷିପ୍ତ ସାର ପୁସ୍ତିକା ଲୋକାର୍ପିତ ହୋଇଥିଲା l ଦୀର୍ଘ ଏକମାସ ଧରି ଡ. ସୁସ୍ମିତା ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ପାଠଚକ୍ରର ଆୟୋଜନରେ ନିରନ୍ତର ରତ ରହି ଶୈକ୍ଷିକ ମର୍ଯ୍ୟାଦା ବୃଦ୍ଧି କରିଥିଲେ l