ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ସ୍ନାତକ ବ୍ୟାଚ୍ ପକ୍ଷରୁ ଡ. ଶଙ୍କର ମାଝିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ଅନିଲ କୁମାର): ଦକ୍ଷିଣାଞ୍ଚଳର ସର୍ବବୃହତ୍ ଶିକ୍ଷାୟତନ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ମସିହା ସ୍ନାତକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ପୂର୍ବାହ୍ଣରେ ଜାତୀୟ ଐତିହାସିକ ସ୍ମୃତିପୀଠ ‘ଉତ୍କଳ ଆଶ୍ରମ’ ସଭାଗୃହରେ ଏକ ଭବ୍ୟ ଷଷ୍ଟିପୂର୍ତ୍ତି ସମ୍ବର୍ଦ୍ଧନା ଉତ୍ସବ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଶାସନିକ ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଡକ୍ଟର୍ ଶଙ୍କର ମାଝୀଙ୍କୁ ପ୍ରାକ୍ତନ ସହାଧ୍ୟାୟୀ, ସହାଧ୍ୟାୟିନୀମାନେ ଉପଢୌକନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ଏହି ଉତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଏହି ଅବସରରେ ୧୯୮୫ ବ୍ୟାଚ୍ ସ୍ନାତକ ସହାଧ୍ୟାୟୀ ତଥା ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉଦ୍ଘାଟକ, ଖ୍ୟାତିପ୍ରାପ୍ତ ଐତିହାସିକ ତଥା ପ୍ରବାଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର ମୁଖ୍ୟଅତିଥି, ଏମ୍.କେ.ସି.ଜି. ଭେଷଜ ମହାବିଦ୍ୟାଳୟ ଅନ୍ତଃସ୍ରାଵୀ ବିଭାଗ ମୁଖ୍ୟ ପ୍ରଫେସର୍ ଡ. ପି. ରବିକୁମାର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପ-ନିର୍ଦ୍ଦେଶକ ସୁଶାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଡ. ଶଙ୍କର ମାଝିଙ୍କ ସଂଗଠନିକ ଦକ୍ଷତା, ଉତ୍ସର୍ଗୀକୃତ ସେବାପରାୟଣତା, ସମାଜର ସବୁ ବର୍ଗ ସହ ବନ୍ଧୁତାପୂର୍ଣ୍ଣ ସଂପର୍କ ସ୍ଥାପନ ଓ ସର୍ବୋପରି ପରୋପକାର ଗୁଣ ସଂପର୍କରେ ଆଲୋକପାତ କରିଥିଲେ l
ମୁଖ୍ୟଅତିଥି ପ୍ରଫେସର୍ ମହାପାତ୍ର ତାଙ୍କ ବକ୍ତବ୍ୟରେ ଡ. ମାଝିଙ୍କ ଛାତ୍ର ଜୀବନ, ଛାତ୍ର ଜୀବନରେ ନେତୃତ୍ୱ, ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସକ୍ରିୟ ସହଯୋଗ ଓ କାର୍ଯ୍ୟଦକ୍ଷତା, କର୍ମ-କୁଶଳତା ଓ ପରୋପକାରୀତା ବିଷୟ ଅବତାରଣା ପୂର୍ବକ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଏହି ସମ୍ବର୍ଦ୍ଧନା ଉତ୍ସବର ସଂଯୋଜନା କରିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ବିଭାଗୀୟ ପଦାଧିକାରୀ ଡ. ମାଝିଙ୍କ ଆଗାମୀ ଜୀବନ ନୀରୋଗ, ନିରାମୟ, କର୍ମତତ୍ପର, ସୁଖଶାନ୍ତିପ୍ରଦ, ସେବାନିଷ୍ଠ ଓ ଅଧ୍ୟାତ୍ମ ଉତ୍ତରିତ ହେଉ ବୋଲି ମତବ୍ୟକ୍ତ ପୂର୍ବକ ତାଙ୍କୁ ସାରସ୍ୱତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ l ଡ. ହୃଷୀକେଶ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ସଞ୍ଜୟ କୁମାର ପଣ୍ଡା ପ୍ରଶସ୍ତିପତ୍ର ପାଠ କରିଥିଲେ l
ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ସ୍ନାତକ ବ୍ୟାଚ୍ ପକ୍ଷରୁ ପଚାଶରୁ ଊର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ସାମିଲ୍ ହୋଇ ସହାଧ୍ୟାୟୀ ଡ. ମାଝିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ନଳିନୀକାନ୍ତ ଗୌଡ଼, ଆନ୍ଧ୍ରପ୍ରଦେଶ ପୋଡ଼ମପେଟା ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁଶାନ୍ତ ଜେନା, ଗବେଷକ ଡ. ଅନନ୍ତରାମ କର (କୌଣ୍ଡିନ୍ୟ), ବିଶ୍ୱବିଦ୍ୟାଳୟ ଯୁଗ୍ମ କୁଳସଚିବ ଡ. ବାବୁଜୀ ସାମଲ, ଉପକୁଳସଚିବ ଡ. ସରୋଜ କୁମାର , ଡ. ମିହିର ତ୍ରିପାଠୀ, ଶ୍ରୀମତୀ ସଂଯୁକ୍ତା ବେହେରା, ହାଇଦ୍ରାବାଦରୁ ଆସିଥିବା ସହାଧ୍ୟାୟିନୀ କେ. ନବୀନାଙ୍କ ପୁତ୍ର ନଚିକେତା, ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଡ. ପ୍ରସନ୍ନ କୁମାର ବିଷୋୟୀ, ଡ. ପୁଷ୍ପଲତା ସାହୁ, ଡ. ଅଶୋକ କୁମାର ପଣ୍ଡାଙ୍କ ସମେତ ମାରୁତି ମର୍ଣ୍ଣି° ୱାର୍କସ୍ କ୍ଲବ୍, ପୂର୍ବତନ ସେନା ଅଧିକାରୀ ସଂଘ, ବ୍ରହ୍ମପୁର କ୍ରୀଡ଼ା ସଂସଦର ବହୁ କାର୍ଯ୍ୟକର୍ତ୍ତା ଡ. ମାଝିଙ୍କୁ ପୁଷ୍ପସ୍ତବକ ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡ. ମାଝି ନିଜ ସଂଘର୍ଷମୟ ସେବା ସମର୍ପିତ ଜୀବନ ସମ୍ପର୍କରେ ଉଲ୍ଲେଖ କରିବା ସହ ଆଗାମୀ ସମୟ ସକ୍ରିୟ ସମାଜସେବାରେ ନିୟୋଜିତ ରହିବେ ବୋଲି କହିଥିଲେ l ସତୀର୍ଥ ସହାଧ୍ୟାୟୀ ଡ. ରମେଶ ଚନ୍ଦ୍ର ପ୍ରଧାନ ଅତୀତର ସ୍ମୃତିଚାରଣ ପୂର୍ବକ ଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ