ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି, ପିଆଜ ଉତ୍ପାଦନ ୭ ପ୍ରତିଶତ ବଢ଼ିବ
ନୂଆଦିଲ୍ଲୀ: ଚଳିତ ୨୦୧୯-୨୦ ଅମଳ ଋତୁରେ ମୋଟ ପିଆଜ ଉତ୍ପାଦନ ୭ ପ୍ରତିଶତ ବଢ଼ି ୨୪.୪୫ ନିୟୁତ ଟନ୍ ହେବ ବୋଲି ସୋମବାର ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି । ଗତ କିଛି ମାସ ଧରି ମହଙ୍ଗା ମାଡ଼ରେ ଘାଣ୍ଟି ହେଉଥିବା ଖାଉଟିଙ୍କୁ ଏହା ଦ୍ୱାରା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ସେହିଭଳି ଆଳୁ ଓ ଟମାଟୋ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ହୋଇଥିବା ଏକ ଆକଳନ ମୁତାବକ ୨୦୧୯-୨୦ ରେ ମୋଟ ୧୨.୯୩ ଲକ୍ଷ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି । ପୂର୍ବ ବର୍ଷ ୨୦୧୮-୧୯ ରେ ୧୨.୨୦ ଲକ୍ଷ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା । ସେହିଭଳି ଚଳିତ ବର୍ଷ ଅର୍ଥାତ ୨୦୧୯-୨୦ ରେ ପିଆଜ ଉତ୍ପାଦନ ୨୪.୪୫ ନିୟୁତ ଟନ ହେବ ବୋଲି ଆକଳନ କରାଯାଇଛି । ୨୦୧୮-୧୯ ରେ ମୋଟ ୨୨.୮୧ ନିୟୁତ ଟନ ଉତ୍ପାଦନ ହୋଇଥିଲା । ଭାରତରେ ବର୍ଷକୁ ଦୁଇ୍ଥର ପିଆଜ ଅମଳ ହେଉଛି । ଗତ ଥର ବିଳମ୍ବରେ ମୌସୁମୀ ଆସିବା ଯୋଗୁଁ ଖରିଫ ପିଆଜ ଚାଷ ୨୨ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା । ଏହା ପରେ ପ୍ରବଳ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହା ଦ୍ୱାରା ଯୋଗାଣ ପ୍ରଭାବିତ ହେବା ଯୋଗୁଁ ଘରୋଇ ବଜାରରେ ପିଆଜ ଦର ବୃଦ୍ଧି ଘଟିଲା । ଗତ କିଛି ମାସ ଧରି ପିଆଜ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହୋଇଥିଲା । ଫଳରେ ଖାଉଟିମାନେ ମହଙ୍ଗା ମାଡ଼ରେ ଶିକାର ହୋଇଥିଲେ । ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନୀ ବନ୍ଦ କରିବା ସହ ଆମଦାନୀ ପରିମାଣ ବଢ଼ାଇଥିଲେ । ବର୍ତ୍ତମାନ ପିଆଜ ଦର କିଲୋଗ୍ରାମ ପିଛା ୫୦ରୁ ୬୦ ଟଙ୍କା ରହିଛି । ଚଳିତ ବର୍ଷ ପିଆଜ ସହିତ ଆଳୁ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ଗତ ବର୍ଷ ୫୦.୧୯ ନିୟୁତ ଟନ୍ ଆଳୁ ଉତ୍ପାଦନ ହୋଇଥିବାବେଳେ ଏ ବର୍ଷ ଏହା ୫୧.୯୪ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଏ ବର୍ଷ ୧୯.୩୨ ନିୟୁତ ଟନ୍ ଟମାଟୋ ଉତ୍ପାଦନ ହେବ ବୋଲି ଆକଳନ ହୋଇଥିବାବେଳେ ଗତ ବର୍ଷ ଏହା ୧୯ ନିୟୁତ ଟନ୍ ରହିଥିଲା । ଅନ୍ୟ ପକ୍ଷରେ ବିନ, ପୋଟଳ, କଖାରୁ ଏବଂ କନ୍ଦମୂଳ ଆଦି ପରିବା ଉତ୍ପାଦନ ସାମାନ୍ୟ କମିବ ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ ଆକଳନ କରାଯାଇଛି ।