ଖାତା ମଲାଟରୁ ବାଗ୍ଦେବୀଙ୍କ ପୂଜନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନେକ ଦେବାଦେବୀଙ୍କର ଫଟୋ ଚିତ୍ର ଆମେ ବିଭିନ୍ନ ପୁସ୍ତକ ବା ନୋଟ୍ବୁକ୍ମାନଙ୍କରେ ଦେଖିବାକୁ ପାଇଥାଉ । ଛାତ୍ର ଛାତ୍ରୀଙ୍କ ମନରେ ଭକ୍ତିର ଶକ୍ତି ସଞ୍ଚାର କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇପାରେ । ଏଇ ଯେମିତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷାନୁଷ୍ଠାନର ନୋଟ୍ବୁକ୍ରେ ଦେଖିବାକୁ ମିଳିଥାଏ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ଫଟୋ ଚିତ୍ର । ତେବେ ଖାତାଟିର ବ୍ୟବହାର ସରିଗଲେ ଦେବୀଙ୍କର ସେହି ଫଟୋ ଚିତ୍ର ଅଲୋଡ଼ା ହୋଇପଡ଼େ । ତେବେ ଦେବୀ ଅଲୋଡ଼ା ନୁହଁନ୍ତି । ସେମାନଙ୍କୁ ପୁଣିଥରେ ପୁରୁଣା ଖାତାର ପ୍ରଚ୍ଛଦରୁ ସଂଗ୍ରହ କରି ତାକୁ ସାଇତି ରଖନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ବିଦ୍ୟାର୍ଥୀ ଶାନ୍ତନୁ ଶାନ୍ତିସ୍ୱରୂପ । ଚଳିତବର୍ଷ ସରସ୍ୱତୀ ପୂଜାରେ ସରସ୍ୱତୀଙ୍କ ଫଟୋ ଗୁଡ଼ିକ ଘର କାନ୍ଥରେ ସୁସଜ୍ଜିତ କରି ଶ୍ରଦ୍ଧା ଓ ଭକ୍ତିର ସହ ନିଆରା ଭାବେ ପୂଜା କରିଛନ୍ତି । ଏ ସମ୍ପର୍କରେ ସେ କୁହନ୍ତି ଏହି ପୂଜାରେ ନା କୌଣସି ରାସାୟନିକ ପ୍ରଲେପଯୁକ୍ତ ରଙ୍ଗ ଅଛି, ନା ଅଛି ପରିବେଶ ପ୍ରଦୂଷଣର ଭୟ । ପ୍ରତିଟି ପୂଜା ପାର୍ବଣ ପରିବେଶଧର୍ମୀ ହେବା ଉଚିତ୍ । ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ର ଅଟନ୍ତି ।