ଖାଦ୍ୟକୁ ହଜମ କରେ ମିଠା
ବିଭିନ୍ନ ଭୋଜିଭାତ କାର୍ଯ୍ୟକ୍ରମରେ ଖାଇବା ପରେ ସାଧାରଣତଃ ମିଠା ପରଷା ଯାଇଥାଏ । ଘରେ ମଧ୍ୟ କିଛି ଲୋକ ଖାଦ୍ୟ ଖାଇସାରିବା ପରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି । ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଯାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ କୌଣସି ଭୋଜିଭାତ ସମୟରେ ଖାଦ୍ୟ ବହୁତ ରାଗ କିମ୍ବା ଲୁଣିଆ ହୋଇଥାଏ । ବୈଜ୍ଞାନିକ କାରଣ ଅନୁସାରେ, ରାଗ ଖାଦ୍ୟ ଖାଇଲେ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ୍ ଭାବରେ ସଞ୍ଚାଳିତ ହୋଇ ନ ଥାଏ । ଶେଷରେ ମିଠା ଖାଇଲେ ଖାଦ୍ୟରେ ଥିବା ଅମ୍ଳର ଗତି କମ୍ ହୋଇଥାଏ । ଫଳରେ ଏସିଡିଟି ବା ଜଳାପୋଡ଼ା ହୋଇ ନ ଥାଏୟ ଖାଦ୍ୟ ଶୀଘ୍ର ମଧ୍ୟ ହଜମ ହୋଇଥାଏ । ସେହିପରି ଭୋଜନ ପରେ ଖାଦ୍ୟନଳୀ ଶୁଷ୍କ ହୋଇଯିବାରୁ ପ୍ରବଳ ଶୋଷ ଲାଗିଥାଏ । ପାଣି ପିଇବା ପାଇଁ ଇଚ୍ଛା ହୋଇଥାଏ । କିନ୍ତୁ ଡାକ୍ତର କୁହନ୍ତି, ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍ ନୁହେଁ । ଏହା ପାଚନକ୍ରିୟା ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଣିର ଆବଶ୍ୟକତା ମଧ୍ୟ ପଡ଼େ ନାହିଁ ।


