ଖାଦ୍ୟ ବସ୍ତ୍ର ଦାନ ବା ବଣ୍ଟନ କ’ଣ କେବଳ ସରକାରଙ୍କ ଅଧିକାରଭୁକ୍ତ? ସୁଧୀର ମହାନ୍ତି
ଭୁବନେଶ୍ୱର ,(ଓ୍ବାଇଏନ୍ଏସ୍): ପୃଥିବୀରେ ବିଭିନ୍ନ ଧର୍ମର ଜନସ।।ଧାରଣ ବସବାସ କରୁଥିଲେ ମଧ୍ୟ ସମସ୍ତ ଧର୍ମରେ ଦାନକୁ ପ୍ରାଧାନ୍ୟ ଦିଆଯାଇଅଛି । ହିନ୍ଦୁ ଧର୍ମରେ ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ସ୍ୱର୍ଣ୍ଣଦାନ ଇତ୍ୟାଦି ଥିଲାବେଳେ ମୁସଲମାନ ଧର୍ମରେ ରୋଜା ପର୍ବରେ ଦାନକୁ ପ୍ରାଧାନ୍ୟ ଦିଆଯାଇଅଛି । ସ୍ୱଚ୍ଛଳବର୍ଗର ଲୋକମାନେ ଗରିବ ଲୋକମାନଙ୍କୁ ଦାନ କରି ଧର୍ମ ଅର୍ଜନ କରିବାକୁ ବିଶ୍ୱାସ କରାଯାଏ । ବୌଦ୍ଧ ଧର୍ମରେ ବୌଦ୍ଧଭିକ୍ଷୁମାନେ ଜଗତର ମଙ୍ଗଳ କାମନା କରୁଥିବା ହିନ୍ଦୁ ଧର୍ମରେ ଋଷି, ମୁନି ଓ ତପସ୍ୱୀ, ବ୍ରାହ୍ମଣମାନେ ଜଗତ କଲ୍ୟାଣ ପାଇଁ ତପସ୍ୟା, ସାଧନା କରିବା, ରାଜା ମହାରାଜା, ନବାବ ତଥା ଶାସକ ଗୋଷ୍ଠୀ, ଧନୀ ବ୍ୟକ୍ତି ଗରିବ, ଅନାହାର ମାନଙ୍କ ସମେତ ଦିବ୍ୟାଙ୍ଗମାନଙ୍କୁ ଦାନ କରିବା ଶାସ୍ତ୍ର ଓ ଭାରତୀୟ ସଂସ୍କୃତି ସମ୍ମତ । ଦାନଧର୍ମ କରିବାର ନଜିର କମ୍ ନୁହେଁ । ବାଲ୍ୟକାଳରୁ ଦାନ ଧର୍ମ କରିବା ପାଇଁ ଶିକ୍ଷକ ଅଭିଭାବକ ଓ ଗୁରୁମାନେ ପରାମର୍ଶ ଦେଇଥାନ୍ତି । ବର୍ତ୍ତମାନ ଯୁଗରେ ବିଭିନ୍ନ ସରକାରମାନେ ଧର୍ମ କରିବା ନାମରେ ଜନସାଧାରଣଙ୍କ ଅର୍ଥରେ କିମ୍ବା ଶିଳ୍ପସଂସ୍ଥା ମାନଙ୍କ ସି.ଏସ୍.ଆର ଫଣ୍ଡରେ ଗରିବଙ୍କୁ ସାହାଯ୍ୟ କରିବା ଆଳରେ ଧର୍ମ ଅର୍ଜନକୁ ପଛକୁ ପକାଇ କ୍ଷମତାରେ ରହିବା ପାଇଁ ଭୋଟ ହାସଲ ପାଇଁ ଚେଷ୍ଟିତ । ଓଡ଼ିଶା ସରକାର ଗରିବଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଶିଳ୍ପସଂସ୍ଥାମାନଙ୍କ ପଇସାରେ ୫ ଟଙ୍କିଆ ସୁଲଭ ମୂଲ୍ୟରେ ଆହାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗରିବଙ୍କ ବ୍ୟତୀତ ଦିନବେଳା ମୁଲିଆ କାମ କରୁଥିବା ଲୋକେ ଆହାର କେନ୍ଦ୍ରକୁ ଯାଇପାରନ୍ତି ନାହିଁ । ତେଣୁ ସେଠାରେ ବହୁ ଥିଲାବାଲା କୋଟ୍ ପିନ୍ଧା ବାବୁଭାୟାମାନେ ଆହାର ଯୋଜନାର ସୁବିଧା ନିଅନ୍ତି । ଆବଶ୍ୟକସ୍ଥଳଗୁଡ଼ିକରେ ଖାଦ୍ୟ ପାଇଁ ସାଙ୍ଗରେ ମାଛ ତରକାରୀ ନେଇ ଆସି ଆହାର କେନ୍ଦ୍ରରେ ଭୋଜନ କରନ୍ତି । ଅନେକ ବ୍ୟକ୍ତି ଏଠାରୁ ଘରକୁ ପାର୍ସଲ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଅଛି । ଏପରିସ୍ଥଳେ ବହୁ ଗରିବ ଲୋକେ ବିଭିନ୍ନ କାରଣ ଯୋଗୁ ସରକାରୀ ଯୋଜନାରେ ଉପକୃତ ହୁଅନ୍ତି ନାହିଁ । ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗରେ ଭୁବନେଶ୍ୱରର ସାସଂଦ ଅନ୍ନପୂର୍ଣ୍ଣା ଭଳି ଏକ ଯୋଜନା କାର୍ଯ୍ୟ କରିବାକୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ ଯେଗାଇ ଦେବା ପାଇଁ ଆଗେଇଥିଲେ । ସରକାରୀ ଆହାର କେନ୍ଦ୍ରକୁ ଯେକେହି ବ୍ୟକ୍ତି ଆସିଲେ ୫ ଟଙ୍କିଆ ଖାଦ୍ୟ ଦିଆଯାଉଥିବା ବେଳେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ପ୍ରକୃତ ଗରିବ, ଅନାହାର ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନେ ରହୁଥିବା ସ୍ଥାନରେ ଖାଦ୍ୟ ଯୋଗାଇ ଦେଉଥିଲେ । କିଛି ଦିନ ତଳେ ସରକାରଙ୍କ ତରଫରୁ ବିଏମ୍ସିର ବିନା ଅନୁମତିରେ ଏପରି ଖାଦ୍ୟବସ୍ତ୍ର ମାଗଣାରେ ଦେବା ଉପରେ ଅଙ୍କୁଶ ଲଗାଇଛି । ତାର କାରଣ ଦର୍ଶାଗଲା ଯେ ସରକାର ସମସ୍ତ ଗରିବ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଆଣିବାକୁ ଚେଷ୍ଟା କରିଥିବା ବେଳେ ଏପରି ମାଗଣା ଖାଦ୍ୟବସ୍ତ୍ର ଦେବା ଯୋଗୁ ଆଶ୍ରୟ ସ୍ଥଳୀକୁ ଲୋକେ ଆସୁନନାହାଁନ୍ତି । ସରକାରୀ ସଂସ୍ଥାମାନେ ଯଦି ସବୁ ଅନାହାର, ଗରିବ ଲୋକଙ୍କୁ ଆହାର ଗୃହକୁ ନେଇ ସୁବିଧାରେ ରଖିପାରନ୍ତେ ତେବେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଗରିବ ଅନାହାର ଲୋକ ପାଆନ୍ତେ ନାହିଁ । ତାହା ନକରି ଦାନ, ଧର୍ମ, ସେବା କରୁଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ସହଯୋଗରେ ରାଜ୍ୟରୁ ସମସ୍ତ ଅନାହାର ବ୍ୟକ୍ତିଙ୍କୁ ଖାଦ୍ୟବସ୍ତ୍ର ଯୋଗାଇ ଦେବା ପରିବର୍ତ୍ତେ ସ୍ୱେଚ୍ଛାସେବୀମାନଙ୍କ ଉପରେ ରୋକ ଲଗାଇବା କେତେଦୂର ଯଥାର୍ଥ? ସ୍ୱର୍ଗତ ବିନୋବା ଭାବେ ଜମିଦାର ମାନଙ୍କ ଠାରୁ ଜମି ଆଣି ଭୂଦାନ ମାଧ୍ୟମରେ ଭୂମିହୀନଙ୍କୁ ବଣ୍ଟନ କରୁଥିଲେ । ସ୍ୱାମୀ ବିବେକାନନ୍ଦ ଦେଶରେ ସଂସ୍କାର ଆଣିବା ପାଇଁ ଭିକ୍ଷା କରି ସାରା ଭାରତବର୍ଷ ବୁଲି ଭିକ୍ଷା ଅର୍ଥରେ ଅନେକ ଅନୁଷ୍ଠାନ ଗଠନ କରି ଜଗତର ମଙ୍ଗଳ କରୁଥିଲେ । ସ୍ୱର୍ଗତ ବିଜୁବାବୁ ତଥା ବହୁ ସଚ୍ଚୋଟ ରାଜନୈତିକ ବ୍ୟକ୍ତିମାନେ ଦେଶର ଶାସନରେ ପରିବର୍ତ୍ତନ କରିବା ପାଇଁ ଜନସାଧାରଙ୍କ ଠାରୁ ଭିକ୍ଷା କରି ଅର୍ଥ ସଂଗ୍ରହ କରୁଥିଲେ । ସ୍ୱାଧୀନତା ପୂର୍ବରୁ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନ ପାଇଁ ଚାନ୍ଦା/ଭିକ୍ଷା କରି ସେଥିରେ ଦେଶକୁ ସ୍ୱାଧୀନ କରାଇଥିଲେ । ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଘର ଘର ବୁଲି ଭିକ୍ଷା କରାଯାଉଅଛି । ଅନେକ ସମୟରେ ନିଜର ଗୃହପାଳିତ ପଶୁ ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ୁଥିବାରୁ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି ଏବଂ ସେଥି ନେଇ ଦୁର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି । ସରକାର ମଧ୍ୟ ଉକ୍ତ ଗାଈ ଗୋରୁଙ୍କୁ କାଞ୍ଜିଆହୁଦାକୁ ଦେବା ସମ୍ଭବ ହେଉନାହିଁ । ସେପରିସ୍ଥଳେ ଜଣେ ବ୍ୟକ୍ତି ତାଙ୍କ ଦ୍ୱାରରେ ଗୋଟିଏ କୁଣ୍ଡ କରି ପେଜ, ପାଣି, କୁଣ୍ଡା ଦେଇ ଧର୍ମ ଅର୍ଜନ କରିବାକୁ ଚେଷ୍ଟା କରନ୍ତି ତେବେ ସରକାର ଗୋରୁ ଗାଈ ତା ଦ୍ୱାରା ରାସ୍ତାରେ ବୁଲିବା ପାଇଁ ଚେଷ୍ଟା କରିବେ ବୋଲି ରୋକ ଲଗାଇବା କେତେଦୂର ଉଚିତ, ବା ଠିକ୍ ସରକାରୀ ତତ୍ତ୍ୱାବଧାନରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ୍ ଆହାର କେନ୍ଦ୍ରରେ, ପଚାଅଣ୍ଡା, ଝଟିପିଟି ପଡ଼ିବା ଉଦାହରଣ ଥିବାବେଳେ ସ୍ୱେଚ୍ଛାସେବୀମାନଙ୍କ ତରଫରୁ ଖାଦ୍ୟବସ୍ତ୍ର ଦିଆଯିବା ବେଳେ ସେଭଳି କୌଣସି ଦୃଷ୍ଟାନ୍ତ ଥିବାର ଦେଖାଯାଇ ନାହିଁ । ସରକାରୀ ଯୋଜନାରେ ଦୁର୍ନୀତି ହେବାର ଦୃଷ୍ଟାନ୍ତ ଥିବାବେଳେ ସ୍ୱେଚ୍ଛାସେବୀ ମାନେ ତାହାଠାରୁ ପ୍ରାୟତଃ ଦୂରରେ ଥିବାର ବିଶ୍ୱାସ କରାଯାଏ । ବିବାହ, ବ୍ରତରେ ଭୋଜିର ବଳକା ଖାଦ୍ୟକୁ ଗରିବ ତଥା ଅନାହାର ବ୍ୟକ୍ତି ବା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନରେ ବଣ୍ଟନ କରାଯାଇଥାଏ । ସେଥିପାଇଁ ସରକାରୀ ଅନୁମତି ଆଣିବା ସମ୍ଭବପର ନୁହେଁ । ସେଥିପାଇଁ ମଧ୍ୟ ସରକାରଙ୍କ ଅନୁମତି ମାଗିଲେ ଅଧିକାରୀମାନେ ଅନୁମତି ପାଇଁ ଉତ୍କୋଚ ଗ୍ରହଣକୁ ଏଡ଼ାଇ ଦେଇ ହେବନାହିଁ । ଜଣେ ଜଣେ ବ୍ୟକ୍ତି ପିତାମାତାଙ୍କ ଦଶାହ, ଏକାଦଶାହରେ ମାଗଣାରେ ମହାପ୍ରସାଦ ବଣ୍ଟନ କରିଥାନ୍ତି । ସେମାନଙ୍କୁ ସରକାର ଅନୁମତି ଆଣିବା କେତେଦୂର ସମ୍ଭବ? ଆଜିକାଲି ସମସ୍ତ ଯୋଜନା, କାର୍ଯ୍ୟକ୍ରମ ରାଜନୈତିକ ଉଦ୍ଦେଶ୍ୟ ପାଇଁ କରାଯାଇଛି । ସରକାରଙ୍କର କାର୍ଯ୍ୟକ୍ରମର ପ୍ରଚାର କରି ସରକାରୀ ଦଳ ସୁନାମ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଦଳ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସୁନାମ ପାଇଁ କାର୍ଯ୍ୟକ୍ରମକୁ ବିରୁଦ୍ଧ କରିଥିବା ନଜିର କମ୍ ନାହିଁ । ରାଜ୍ୟରୁ ପ୍ରକୃତ ଗରିବୀ ହଟାଇବା ପାଇଁ ଅନାହାର ଶେଷ ପାଇଁ ସରକାର ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିିଳିତ ଭାବେ କାର୍ଯ୍ୟ କଲେ ଅନାହାର ଓ ଦାରିଦ୍ର୍ୟର ଶେଷ ହୋଇପାରିବ । ଦେଶରେ ଓଡ଼ିଶା ଉନ୍ନତିର ନିମ୍ନ ସ୍ଥାନରେ ଅଛି । ଦାଦନ ଖଟିବା ଓଡ଼ିଆଙ୍କର ଦେହସୁହା ହୋଇଗଲାଣି । ନବୀନ ପଟ୍ଟନାୟକଙ୍କର ଆହାର ଯୋଜନା କାର୍ଯ୍ୟକ୍ରମ ତଥା ଅପରାଜିତାଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଉଭୟଙ୍କର ଆବଶ୍ୟକତା ଅଛି । ରାଜନୈତିକ ହିଂସା ଓ ଈର୍ଷା ଗରିବ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ । ତେଣୁ ଓଡ଼ିଶାକୁ ଦାରିଦ୍ର୍ୟ କବଳରୁ ରକ୍ଷା କରିବା ପାଇଁ ପରସ୍ପରକୁ ଈର୍ଷା ନକରି ମିଳିମିଶି କାର୍ଯ୍ୟ କରିବା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ।