ଖାଲଖମାରେ ପୁରିଗଲା ମରୈଗାଁ-ବଳିପୁର ନଦୀବନ୍ଧ

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଜଳସମ୍ପଦ ବିଭାଗ ମାଧ୍ୟମରେ ବିଭିନ୍ନ ବନ୍ଧବାଡର ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ସେଗୁଡିକର ଅବସ୍ଥା ଦିନ କେଇଟା ମଧ୍ୟରେ ଶୋଚନୀୟ ହୋଇଯାଉଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମରୈଗାଁ-ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ କ୍ଷେତ୍ରରେ । ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତାଟି ଉପରେ ଓରାଳି, ଶାଳଣିଆଁ, ଗେଡମା, ଆଇତିପୁର, ଡଅଁର, ଇଞ୍ଚୋଳ, ହାବଳେଶ୍ୱର, ସଡଙ୍ଗ ଆଦି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଦୀର୍ଘବର୍ଷ ହେବ ଏହି ନଦୀବନ୍ଧ ରାସ୍ତାଟି ଅବହେଳିତ ହୋଇ ପଡିରହିଥିଲା । ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅନେକବାର ଅନସନ, ଧାରଣା ଆଦି ଆନେ୍ଦାଳନ ପରେ ରାଜ୍ୟସରକାର ନାବାର୍ଡ ସହାୟତାରେ ପ୍ରଥମେ ୧୫କୋଟି ୭୧ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ଯାହାକି ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ୧୭କୋଟି କରାଯାଇଥିଲା । ଏହି ଅନୁଦାନରେ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ୧୯କିଲୋମିଟର ୪୦୦ମିଟର ରାସ୍ତାକାର୍ଯ୍ୟ କରାଯିବାର ଥିଲା । ଯାହାକୁନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଦୀର୍ଘବର୍ଷ ପରେ ରାସ୍ତାଟିର ଅବସ୍ଥା ସୁଧୁରିଯାଇ ଏକ ଚକଚକିଆ ରାସ୍ତା ହେବ ବୋଲି ଲୋକମାନେ ଆଶା ବାନ୍ଧିଥିଲେ । କିନ୍ତୁ ରାସ୍ତା ନିର୍ମାଣରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦି୍ରକା ପରେ ଏବେ ରାସ୍ତାର ଅବସ୍ଥା ଦେଖିଲେ ଲୋକମାନଙ୍କ ସେ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଏହି କାର୍ଯ୍ୟକୁ ଏସ.କେ.ଏମ ଇନଫ୍ରାଭେଞ୍ଚର ପିଭିଟି ନାମକ ଏକ ଠିକାସଂସ୍ଥା ଟେଣ୍ଡର ନେଇ ୭/୧/୨୦୧୮ ସୁଦ୍ଧା କାର୍ଯ୍ୟ ସାରିବାକୁ ଏଗ୍ରିମେଣ୍ଟ କରିଥିଲା । କାର୍ଯ୍ୟାରାମ୍ଭ ସମୟରେ ଠିକାସଂସ୍ଥା ଅତିନିମ୍ନମାନର ସବ୍ବେଶ ନିର୍ମାଣକରିବାରୁ ସ୍ଥାନୀୟ ଲୋକମାନେ ଏହାର ଦୃଢ଼ ବିରୋଧ କରିଥିଲେ । ଏପରିକି ଖାଲଖମା ଗୁଡିକ ମେଣ୍ଟାଲରେ ନପୋତି ନାଲିମାଟିରେ ପୋତିବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ରାସ୍ତାରେ ଆବଶ୍ୟକ ଅନୁଯାଇ ମେଣ୍ଟଲ ନପକାଇ ଓ ପଟୁମାଟି ଦ୍ୱାରା କାମ କରିବାରୁ ଏହାକୁ ବିରୋଧ କରାଯାଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ଅଳ୍ପଦିନ ଭିତରେ ସବବେସ କାମ ନଷ୍ଟ ହୋଇଯାଇଥିଲା । ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ପିଚୁ କରାଯାଇଥିଲେ ମଧ୍ୟ ତାହା ତିନିମାସ ଭିତରେ ଉଠିଯାଇ ପୁର୍ବାବସ୍ଥାକୁ ଫେରି ଆସିଥିଲା । ନିର୍ମାଣ ସମୟରେ ନିମ୍ନମାନର କାମ ହେଉଥିବା ଅଭିଯୋଗକରି ଭୁତପଦା, ଇଞ୍ଚୋଳ, ଅପସର, ଡଅଁର, ଶାଳଣିଆଁ ଆଦି ଗ୍ରାମର ଲୋକମାନେ ବିରୋଧକରି କାମ ବନ୍ଦ କରିଥିଲେ । କିନ୍ତୁ କିଛି ଫଳ ମିଳିନଥିଲା । ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡଇବାରୁ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ଏନେଇ ଜିଲ୍ଲାପରିଷଦ ବୈଠକରେ ବାରମ୍ବାର ଆପତ୍ତି ଉଠାଇବାପରେ କେନ୍ଦୁଝର ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ତତକାଳୀନ ଜିଲ୍ଲାପରିଷଦର ୱାର୍କସ କମିଟିକୁ ପଠାଇଥିଲେ । କମିଟି ଏହାର ଦୁଇ ଦୁଇଥର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ମଧ୍ୟ କରିଥିଲେ । ତଦନ୍ତ ସମୟରେ ଏହାର ଏଗ୍ରିମେଣ୍ଟ ଭେଲୁ ୧୪କୋଟି ୦୮ଲକ୍ଷ ୯୪ହଜାର ଟଙ୍କା ହୋଇଥିବାବେଳେ ମରୈଗାଁ ଠାରୁ ୧୯କିଲୋମିଟର ୪୦୦ମିଟର ପର୍ଯ୍ୟନ୍ତ କାମ କରିବା କଥା । କିନ୍ତୁ ଏଷ୍ଟିମେଟ ଅନୁଯାଇ କାମ ନକରାଯାଇ ଅତିନିମ୍ନମାନର କାମ କରାଯାଇଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷ ସଲାସୁତୁରାରେ ୧୩କୋଟି ୭ଲକ୍ଷ ୩ହଜାର ୫୯୫ଟଙ୍କା ବିଲ କରାଯାଇ ଠିକାଦାରଙ୍କୁ ପେମେଣ୍ଟ କରିଦେଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏପରିକି ଜିଲ୍ଲାପରିଷଦ କମିଟିର ପ୍ରଥମ ସମୀକ୍ଷା ସମୟରେ ଜଳସମ୍ପଦ ବିଭାଗର ଅଧିକାରୀ ପୁନର୍ବାର ଏହାକୁ ନିର୍ମାଣ କରି ଉପଯୁକ୍ତ କାମ କରିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଠିକାସଂସ୍ଥା ପକ୍ଷରୁ କିଛି ଖାଲଖମାକୁ କ୍ରସରଗୁଣ୍ଡ ପକାଯାଇ ପୋତିଦେବାପରେ କିଛିଦିନ ପରେ ତାହା ବର୍ଷାରେ ଧୋଇଯାଇ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ବିଶେଷକରି ଏହାର ସବବେସ ଠିକ ନଥିବାରୁ ରାସ୍ତାଟି ଦିନକୁ ଦିନ ଅତୀବ ଶୋଚନୀୟ ହୋଇ ପଡୁଛି । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରାସ୍ତାକାମ କରୁଥିବା ଠିକାଦାର କିମ୍ବା କାମର ତଦାରଖ କରୁଥବବା ଜଳସମ୍ପଦ ବିଭାଗର ଯନ୍ତ୍ରୀ ମାାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଗତ କିଛିମାସ ତଳେ କେନ୍ଦୁଝର ଜିଲ୍ଲାପାଳ ଏହି ରାସ୍ତା ପରିଦର୍ଶନ କରି ରାସ୍ତାଟିକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ସୁଚନା ଦେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତାଟି ମରାମତି କରାଯାଉ ନଥିବାରୁ ଅଞ୍ଚଳବାସୀ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାଟି ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ବାଇକ କିମ୍ବା ସାଇକେଲ ଯିଏ ମଧ୍ୟ ନେଇକରି ଯିବା ସମ୍ଭବପର ହେଉ ନାହିଁ । ଜିଲ୍ଲାପାଳ ତୁରନ୍ତ ରାସ୍ତାଟିକୁ ମରାମତି କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ନନ୍ଦିପଦା, ଇଞ୍ଚୋଳ, ଭୁତପଦା, ଅପସର, ବ୍ରାହ୍ମଣିକଳା, କ୍ଷେତୁଆଳି, ଡଅଁର, ଶାଳଣିଆଁ ଆଦି ଗ୍ରାମ ର ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ