ଖୁବଶୀଘ୍ର ଆରମ୍ଭ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କାର୍ଯ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆର୍ଥିକ ଅନୁଦାନରୁ ଏହି ନବୀକରଣ କାର୍ଯ୍ୟ ହେବାକୁ ଥିବାବେଳେ ଏନେଇ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଉଛି । ପ୍ରାୟ ୫କୋଟି ୧୩ଲକ୍ଷ ଟଙ୍କାରେ ଉକ୍ତ କାର୍ଯ୍ୟ ହେବ ବୋଲି ସୂଚନା ମିଳିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଅର୍ଥ ମଧ୍ୟ ପୂର୍ତ୍ତ ବିଭାଗ ନିକଟକୁ ପଠାଯାଇଛି । ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟ ହେବ ଯାହାକି ଗୋଟିଏ ଛାତ ତଳେ ରୋଗୀମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯାଇପାରିବ । ଏହି ନବୀକରଣ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସମସ୍ତ ଆଜବେଷ୍ଟସ ଘରକୁ ଭଙ୍ଗା ଯିବ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜାତୀୟ ସ୍ୱାସ୍ଥ୍ୟମିଶନ ପ୍ରଥମ ପର୍ଯ୍ୟାୟରେ ଆଧୁନିକ ଶୈଳୀରେ କାର୍ଯ୍ୟ କରିବା ପାଇଁ ଆର୍ଥିକ ବ୍ୟୟବରାଦ କରିଥିବା ଜଣାପଡିଛି ।