ଖୁବ୍ ଶୀଘ୍ର ଜିଲ୍ଲାରେ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ  

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ଖୋଲିବାକୁ ଯାଉଛି  । ଏହି ସ୍ବାସ୍ଥ୍ଯ କଲ୍ୟାଣ କେନ୍ଦ୍ର ମାନଙ୍କରେ ସ୍ୱତନ୍ତ୍ର  ସୁବିଧା ଗୁଡିକ ଉପଲବ୍ଧ ହେବ  । ଏହି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ୧୫ ହଜାରରୁ ୨୦ ହଜାର ଜନ ସଂଖ୍ୟାକୁ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି  । ଶୁକ୍ରବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ  ଏକ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାବାସୀ କିଭଳି ଶୀଘ୍ରରୁ ଅତି ଶୀଘ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉପକୃତ ହୋଇ ପାରିବେ ସେଥି ନିମନ୍ତେ ଗୁରୁତ୍ବ ଦିଆଯାଇଥିଲା  । ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ରହିଥିବା କୋଠା କିମ୍ବା ଘର ଭଡା ନେଇ ତାହାର ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇ କେନ୍ଦ୍ର ଗୁଡିକୁ ଖୋଲାଯିବ  । ସହରାଞ୍ଚଳ ଗୁଡିକରେ ଜନସଂଖ୍ୟା ବୃଦ୍ଧି ହେତୁ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏହି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଅଧିକ ସହାୟକ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ  । ୨୫ ଶହ ସ୍କୋୟାରଫୁଟ ପରିମିତ ଗୃହରେ ଏହି କେନ୍ଦ୍ର ଖୋଲାଯିବ  । ଯେଉଁଠି  ୨୫ଶହ ସ୍କୋୟାର ଫୁଟ ଗୁହ ଉପଲବ୍ଧ ହେବ ନାହିଁ ସେହିଠାରେ ବ୍ଲକ୍ ସ୍ତରୀୟ କମିଟିର ନିଷ୍ପତ୍ତି ପ୍ରକାରେ ୧୮ଶହ ସ୍କୋୟାର ଫୁଟ ପରିମିତ ଥିବା ଗୃହରେ ଉଭୟ ମହଲା ବ୍ୟବହାର କରି କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯିବ  । ଆଉଟସୋର୍ସ ଦ୍ବାରା ଡାକ୍ତର, ଫିଜିଓ ଥେରାପିଷ୍ଟ, ଯୋଗ ଶିକ୍ଷକ ଏବଂ ଅନ୍ୟାନ୍ୟ ପାରା ମେଡିକାଲ ଷ୍ଟାଫ୍ ଏହି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ରରେ ସେବା ଯୋଗାଇ ଦେବେ  । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମିନାକ୍ଷୀ ନଗରରେ ଥିବା କର୍ପୋରେସନ୍ କୋଠା, ଆଙ୍କୁଲିରେ ଥିବା ଆଙ୍କୁଲି ଡିସ୍ପେନସରୀ, ଗୋସାଣୀ ନୂଆଗାଁ ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ, ଆମ୍ବପୁଆ ଗାଁ ରେ ଥିବା କମ୍ୟୁନିଟି ସେଣ୍ଟର, ତୁଳସୀ ନଗର ଦ୍ବତୀୟ ଗଳିରେ ଭଡା ଗୃହରେ ଏବଂ ଆଉ ଗୋଟିଏ ମାଟିଗାଁ ରେ ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ  ।  କୋଦଳା, ଛତ୍ରପୁର, ପୋଲସରା ରେ ଆଉ ୬ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଏହି ଭଳି ଜିଲ୍ଲାରେ ସମୁଦାୟ ୧୨ ଗୋଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ  । ଆଗାମୀ ୧୦ ଦିନ ମଧ୍ୟରେ ବ୍ରହ୍ମପୁର ଠାରେ ଦୁଇ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ  ଏବଂ ଆଗାମୀ ୨୦ ଦିନ ମଧ୍ୟରେ ବଳକା ସମସ୍ତ କେନ୍ଦ୍ର ଗୁଡିକ ଯେପରି କାର୍ଯ୍ୟକ୍ଷମ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ  । ଲୋକଙ୍କ ସେବାରେ ଉଦ୍ଦିଷ୍ଟ ଏହି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକର ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  । ବୈଠକରେ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ଆର୍. ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ