ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ ସଭାପତି ପଦବୀ ପାଇଁ ସବୁ ନାମାଙ୍କ ନାକଚ
ଦିଗପହଣ୍ଡି,(ଅଳକନାଥ ମିଶ୍ର): ଓକିଲ ସଂଘ ନିର୍ବାଚନ କୁ ନେଇ ରାଜ୍ୟ ର ସମସ୍ତ ବାର୍ ରେ ଛକା ପଞ୍ଝା ଲାଗିଥିବା ବେଳେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘରେ ନିର୍ବାଚନ ଅଧିକାରୀଙ୍କ କଡା ଆଭିମୁଖ୍ୟ ଯୋଗୁଁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ସଂଘର ସଭାପତି ପଦବୀ ଦୌଡରେ ରହିଥିବା ହରପ୍ରସାଦ ରଥ, କୁରେଶୁ ପଣ୍ଡା ଏବଂ ଗଜାନନ ତ୍ରିପାଠୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଯାଇଥିବା ଜଣାପଡିଛି।ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ବଜ ସିଂହ ପ୍ରାର୍ଥୀ ମାନଙ୍କ ଓକିଲାତି ଅଭିଜ୍ଞତା ଉପରେ ପ୍ରଶ୍ନ ଉଠାଇ ସଂଘର ପୂର୍ବ ନିଷ୍ପତ୍ତି ପ୍ରକାରେ କୌଣସି ପ୍ରାର୍ଥୀଙ୍କ ୨୫ ବର୍ଷରୁ ଉର୍ଦ୍ଧ୍ବ ଅଭିଜ୍ଞତା ନଥିବା ଯୋଗୁଁ ନାମାଙ୍କନ ପତ୍ର ଗୁଡିକୁ ନାକଚ କରି ଦେଇଥିଲେ।ସେ ତାଙ୍କ ନିଷ୍ପତ୍ତିକୁ ରାଜ୍ୟ ଆଇନଜୀବି ପରିଷଦକୁ ଜଣାଇଦେଇଛନ୍ତି। ଖାଲି ପଡିଥିବା ଓକିଲ ସଂଘ ସଭାପତି ପଦବୀ କିଭଳି ପୂରଣ କରାଯିବ ସେଥିନେଇ ରାଜ୍ୟ ଆଇନଜୀବି ପରିଷଦର ମତାମତ ଲୋଡ଼ାଯାଇଥିବା ଜଣାପଡିଛି।ତେବେ ଅନ୍ୟ ପଦପଦବୀ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଗୁଡିକୁ ସେ କାଏମ ରଖିଛନ୍ତି।ବର୍ତ୍ତମାନ ରାଜ୍ୟ ଆଇନଜୀବି ପରିଷଦର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆଇନଜୀବିଙ୍କ ମଧ୍ୟରେ ଆଲୋଚନା ଲାଗି ରହିଛି।


