ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଗୁରୁବାର ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ସଂଘର ବିବିଧ ସମସ୍ୟା ନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା । ଦିଗପହଣ୍ଡି ଠାରେ ସବଜଜ୍ କୋର୍ଟ ସହ ସବ୍ ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ଦାବୀରେ ଓକିଲ ସଙ୍ଘ ପକ୍ଷରୁ ଆନ୍ଦୋଳନ ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା ଯାଏଁ ରେଳ ଲାଇନ୍ ନିର୍ମାଣ ପ୍ରସ୍ତାବକୁ ଅତି ଶୀଘ୍ର କାର୍ଯ୍ୟକାରୀ କରାଯିବା । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବ୍ ଡିଭିଜିନାଲ ହସ୍ପିଟାଲର ମାନ୍ୟତା ପ୍ରଦାନ କରାଯିବା ଦାବୀ ନେଇ ଖୁବ୍ ଶୀଘ୍ର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ହାତକୁ ନିଆଯିବା ନିମନ୍ତେ ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ରଙ୍କ ପକ୍ଷରୁ ଆଗତ ପ୍ରସ୍ତାବକୁ ସଭାରେ ବିଧିବଦ୍ଧ ଭାବେ ଅନୁମୋଦନ କରାଯାଇଥିଲା । ଦିଗପହଣ୍ଡି ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଦୀର୍ଘଦିନ ହେଲା ଦାବୀ କରାଯାଉଥିଲେ ମଧ୍ୟ ସରକାରୀ ସ୍ତରରେ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ନେଇ ସଭାରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା । ସଭାରେ ବରିଷ୍ଠ ଆଇନଜୀବୀ ପ୍ରଭାକର ରାଉତ,ଲକ୍ଷ୍ମୀନାରାୟଣ ପାଢ଼ୀ,ରବୀନ୍ଦ୍ରନାଥ ପାଣିଗ୍ରାହୀ,ରତ୍ନାକର ମେକାପ,ହେମନ୍ତ କୁମାର ପାଣିଗ୍ରାହୀ,ସୁକାନ୍ତ ପ୍ରଧାନ,ନକୁଳ ପ୍ରଧାନ,ସତ୍ୟନାରାୟଣ ରଥ,ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ପଣ୍ଡା, ଗିରିଜା ନନ୍ଦନ ମେକାପ, ବିଜୟ କୁମାର ପ୍ରଧାନ, ସିମାଞ୍ଚଳ ପ୍ରଧାନ, ପ୍ରଦୀପ ନାୟକ,ପ୍ରହଲ୍ଲାଦ ପ୍ରଧାନ, କୋରା ବିଷୋୟୀ,ପି. ଶିବଶଙ୍କର,ପ୍ରଫୁଲ୍ଲ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବୀ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


