ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ସଭାପତି ପାଇଁ ତ୍ରୀମୁଖି ଲଢେଇ ୫ ପଦବୀ ପାଇଁ ୮ ପ୍ରାର୍ଥୀ କଲେ ନାମାଙ୍କନ
ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ପଦବୀ ପାଇଁ ତ୍ରିମୁଖି ଲଢେଇ ହେବ ବୋଲି ଜଣାପଡିଛି।ସଂଘର ୫ ପଦବୀ ପାଇଁ ନାମାଙ୍କନ ର ଶେଷ ଦିବସ ଶୁକ୍ରବାର ସୁଦ୍ଧା ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ରାଜ୍ୟ ଆଇନଜୀବି ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପରିପ୍ରେକ୍ଷୀରେ ସଂଘ ସଭାପତି ପଦବୀ ନିମନ୍ତେ କୁରେଶୁ ପଣ୍ଡା,ଗଜାନନ ତ୍ରିପାଠୀ ଏବଂ ହରପ୍ରସାଦ ରଥ ନାମାଙ୍କନ ଦାଖଲ କରିଥିବା ବେଳେ ଉପସଭାପତି ନିମନ୍ତେ ସନ୍ତୋଷ କୁମାର ସାହୁ,ସମ୍ପାଦକ ପଦବୀ ନିମନ୍ତେ ମନୋଜ କୁମାର ପଣ୍ଡା,ପ୍ରଦୀପ କୁମାର ନାୟକ, ସହ ସମ୍ପାଦକ ନିମନ୍ତେ ରବିଚନ୍ଦ୍ର ଗୌଡ଼ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ରସାନନ୍ଦ ରାଉତ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବି ଚନ୍ଦ୍ରଧ୍ଵଜ ସିଂହ ଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଉପସଭାପତି,ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେମାନେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଘୋଷଣା ବାକି ଅଛି। ରବିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ସୋମବାର ବିଭିନ୍ନ ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ । ବୁଧବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ନିର୍ଘଣ୍ଟ ସରିବା ପରେ ଗୁରୁବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ସାଢେ ୭ ଟାରୁ ଅପରାହ୍ନ ୩ ଯାଏଁ ସଂଘର ସଦସ୍ୟ ବୃନ୍ଦ ମତଦାନ କରିବେ।ପରେ ମତଗଣନା ସରିବା ପରେ ଅପରାହ୍ନ ୪ ଟାରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।