ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶନିବାର ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି।ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯିବା ପରେ ଭାଷା ଭିତ୍ତିକ ରାଜ୍ୟ ଗଠନରେ ଗଞ୍ଜାମର ଅବଦାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କାଟିଙ୍ଗାର ବିପ୍ଲବୀ ଜମିଦାର ଭେଙ୍କଟେଶ ଦେବଙ୍କ ନେତୃତ୍ୱରେ ୧୮୬୯ ସାଲରେ ରସଲକୋଣ୍ଡା ଠାରେ ଆୟୋଜିତ ହିତବାଦୀ ସଭା ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନର ଚାରା ରୋପଣ କରିଥିବା ବେଳେ ଗଞ୍ଜାମ ଜାତୀୟ ସମିତି ଏବଂ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଶେଷରେ ୧୯୩୬ ମସିହାରେ ଫଳପ୍ରସୁ ହୋଇ ପାରିଥିଲା ବୋଲି ବକ୍ତାମାନେ କହିଥିଲେ।ଯଦିଓ ଭାଷା ଭିତ୍ତିକ ରାଜ୍ୟ ଗଠନରେ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ଯାସକବି ଫକୀରମୋହନଙ୍କ ଭଳି ବହୁ ଯୋଗଜନ୍ମା ପୁରୁଷଙ୍କ ଅବଦାନ ରହିଛି ତନ୍ମଧ୍ୟରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ, ରାମଚନ୍ଦ୍ର ମର୍ଦ୍ଦରାଜ, ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି, ବଡଖେମୁଣ୍ଡି ରାଜା କୃପାମୟ ଦେବ, ଧରାକୋଟ ରାଜା ମଦନମୋହନ ସିଂହ ଦେଓ, ଚିକିଟି ରାଜା ଗୌରହରି ଦେଓ, ସୁରଙ୍ଗୀ ରାଜା ଚନ୍ଦ୍ର ଚୂଡାମଣିଙ୍କ ସମେତ ନୀଳମଣି ବିଦ୍ଯାରତ୍ନ, ହରିହର ପଣ୍ଡା, ଶଶିଭୂଷଣ ରଥଙ୍କ ସ୍ବତନ୍ତ୍ର ଅବଦାନ ସର୍ବଦା ଉଲ୍ଲେଖଯୋଗ୍ୟ ବୋଲି ମଧ୍ୟ ବକ୍ତାମାନେ କହିଥିଲେ। ଆଇନଜୀବି ହରପ୍ରସାଦ ରଥ, ପରେଶ ଚନ୍ଦ୍ର ରଥ, ରସାନନ୍ଦ ରାଉତ, ପ୍ରହ୍ଲାଦ ପ୍ରଧାନ, ସତ୍ଯନାରାୟଣ ରଥ, ରଞ୍ଜନ କୁମାର ବେହେରା ପ୍ରମୁଖ ବହୁ ଆଇନଜୀବି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ସେହିଭଳି ସ୍ଥାନୀୟ ବୀଣାପାଣି ନର୍ସରୀ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳନ କରାଯାଇଥିବା ଜଣାପଡିଛି।


