ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକର ସଂଖ୍ୟା ୧୦୦୦ କୁ ବୃଦ୍ଧି କରାଯିବ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍‌, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା; ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ଚଳିତ ଥର ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତ ପକ୍ଷରୁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ପ୍ରଶଂସା କରିଥିଲେ । ଟୋକିଓ ୨୦୨୦ ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତୀୟ ଦଳ ଇତିହାସ ରଚିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ । ସଦ୍ୟ ସମାପ୍ତ ଅଲିମ୍ପିକ୍ସର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳାଳୀମାନେ ବିଜୟ ହାସଲ କରନ୍ତୁ କିମ୍ବା ସୁଯୋଗର ହାତଛଡ଼ା କରନ୍ତୁ ପଛେ ଦେଶ ସବୁବେଳେ ଦୃଢ଼ ଭାବେ ଖେଳାଳୀଙ୍କ ସହିତ ଛିଡ଼ା ହୋଇ ରହିଛି । ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସତ୍ୱେ ସେଥିରେ ବିଜୟ ହାସଲ କରି ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ପାରା ଆଥଲେଟ ମାନଙ୍କୁ ପ୍ରଶଂସା କରିଥିଲେ । ଆବଶ୍ୟକ ସୁଯୋଗର ଅଭାବ ଏବଂ ନୂଆ ସ୍ଥାନ, ନୂଆ ଲୋକ ଏବଂ ଅନ୍ତର୍ଜାତୀୟ ମଂଚରେ ଦେଖିବାକୁ ମିଳୁଥିବା ଚାପକୁ ଦୃଷ୍ଟିରେ ରଖି ଏହି ଦଳ ପାଇଁ କ୍ରୀଡ଼ା ମନସ୍ତତ୍ୱ ଉପରେ ତିନୋଟି ଅଧିବେଶନରେ କର୍ମଶାଳା ଓ ସେମିନାର ଆୟୋଜନ କରାଯାଇଥିଲା ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗ୍ରାମାଂଚଳ ଓ ଉପାନ୍ତ ଅଂଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି ଏବଂ ପାରା ଆଥଲେଟମାନେ ହେଉଛନ୍ତି ଏହାର ଏକ ଜୀବନ୍ତ ଉଦାହରଣ । ଏହି ସବୁ ଅଂଚଳରେ ପଦକ ଜିତିବାର ସାମର୍ଥ୍ୟ ଥିବା ବହୁସଂଖ୍ୟକ କ୍ରୀଡ଼ାବିତ୍ ରହିଛନ୍ତି । ଦେଶ ଆଜି ଏପରି ଖେଳାଳୀଙ୍କ ନିକଟରେ ପହଂଚିବା ଲାଗି ଚାହୁଁଛି, ଗ୍ରାମୀଣ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି ଦେଶରେ ୩୬୦ଟି ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଖୁବଶୀଘ୍ର ଏହିସବୁ କେନ୍ଦ୍ରଗୁଡ଼ିକର ସଂଖ୍ୟା ୧୦୦୦କୁ ବୃଦ୍ଧି କରାଯିବ । କ୍ରୀଡ଼ାବିତମାନଙ୍କ ପାଇଁ ଆବଶ୍ୟକ ସରଞ୍ଜାମ, ପଡ଼ିଆ ଏବଂ ଅନ୍ୟ ସମ୍ବଳ ତଥା ଭିତିଭୂମି ଯୋଗାଇ ଦିଆଯାଉଛି ।ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୀର୍ଷରେ ପହଂଚିବା ଲାଗି ଆମେ ପୁରୁଣା ପିଢ଼ିଙ୍କ ମନରୁ ଭୟ ଦୂର କରି ସେମାନଙ୍କ ହୃଦୟରେ ସ୍ଥାନ ପାଇଛୁ । ପୂର୍ବରୁ କେବଳ ଗୋଟିଏ କିମ୍ବା ଦୁଇଟି ଖେଳକୁ ଛାଡ଼ି ଦେଲେ ଅନ୍ୟ ଖେଳ ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପାଇଁ କୌଣସି କ୍ୟାରିଅର ସୁଯୋଗ ନାହିଁ ବୋଲି ପରିବାର ଲୋକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କା ଏବେ ଦୂର ହୋଇପାରିଛି । ଆମକୁ ଦେଶରେ କ୍ରୀଡ଼ା ସଂସ୍କୃତି ବିକଶିତ କରିବାକୁ ହେଲେ ମାର୍ଗ ଓ ବ୍ୟବସ୍ଥାରେ କ୍ରମାଗତ ସୁଧାର ଜାରି ରଖିବାକୁ ପଡ଼ିବ । ଅନ୍ତର୍ଜାତୀୟ କ୍ରୀଡ଼ାର ପ୍ରୋତ୍ସାହନ ସହିତ ପାରମ୍ପରିକ କ୍ରୀଡ଼ାକୁ ନୂଆ ପରିଚୟ ମିଳିପାରିଛି ବୋଲି ସେ ସୂଚନା ଦେଇଥିଲେ । ମଣିପୁରର ଇମ୍ଫାଲରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ନୂତନ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଉପଯୁକ୍ତ ମାନ୍ୟତା ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏ ଦିଗରେ ପ୍ରମୁଖ ପଦକ୍ଷେପ ବୋଲି ସେ ସୂଚନା ଦେଇଥିଲେ । ଭିନ୍ନ ଭିନ୍ନ କ୍ରୀଡ଼ା କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିଲେ ହେଁ ସେମାନେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କହିଥିଲେ । “ଅଂଚଳ, ରାଜ୍ୟ, ଭାଷାଗତ ଭିନ୍ନତା ସତ୍ୱେ, ସର୍ବୋପରି ଆପଣମାନେ ହେଉଛନ୍ତି ‘ଟିମ ଇଣ୍ଡିଆ’ । ଏହି ଭାବନା ଆମ ସମାଜର ପ୍ରତ୍ୟେକ ଅଂଶ ଏବଂ ପ୍ରତ୍ୟେକ ସ୍ତରରେ ରହିବା ଉଚିତ୍‌”, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।୯ଟି କ୍ରୀଡ଼ା ବିଭାଗରେ ୫୪ ଜଣ ପାରା ଆଥଲେଟ୍ ଚଳିତ ଥର ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିବା ଲକ୍ଷ୍ୟ ନେଇ ଟୋକିଓ ଗସ୍ତରେ ଯାଉଛନ୍ତି । ଏହା ହେଉଛି ପାରା ଅଲିମ୍ପିକ କ୍ରୀଡ଼ାରେ ସବୁଠୁ ଅଧିକ ଖେଳାଳୀ ଥିବା ଦଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ