ଖୋର୍ଦ୍ଧାରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରେ ବାଣପୁରର ୮ ବର୍ଷର ବାଳକ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ରହିଛନ୍ତି ବୋଲି ସୂଚନା ରହିଛି। ଆକ୍ରାନ୍ତ ବାଳକ ଜଣ ବାଣପୁର କୁମାରଙ୍ଗ ପଞ୍ଚାୟତ କେଶପୁର ଗାଁର ବୋଲି ଜଣାପଡିଛି। ଆକ୍ରାନ୍ତ ବାଳକ ଜଣକ ଗାଁରେ ନିଜ ଘରେ ରହୁଥିଲେ। ତେବେ ସେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ସେନେଇ ଖୋଳତାଡ ଆରମ୍ଭ ହୋଇଛି। ସୂଚନାମୁତାବକ ଆକ୍ରାନ୍ତ ହୋଇଥିବା ବାଳକର ସମ୍ପର୍କୀୟ ବାହାର ରାଜ୍ୟରୁ ଆସି ଘରେ କ୍ବାରେଣ୍ଟିନ୍‌ରେ ଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆକ୍ରାନ୍ତଙ୍କ ସମ୍ପର୍କୀୟକୁ କ୍ବାରେଣ୍ଟିନ୍‌ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ।
ସେହିପରି ବାଣପୁରର ଅନ୍ୟ ଜଣେ ଆକ୍ରାନ୍ତ ସୁରତ୍‌ ଫେରନ୍ତା ବୋଲି ଜଣାପଡିଛି। ଅନ୍ୟ ତୃତୀୟ ଆକ୍ରାନ୍ତ ଜଣକ ଖୋର୍ଦ୍ଧାର ପୌରାଞ୍ଚଳର ନବୀନାବାଗ୍‌ ଅଞ୍ଚଳର ବୋଲି ଜଣାପଡିଛି। ଏହି ଆକ୍ରାନ୍ତ ଜଣକ କୋଲାକତା ଫେରନ୍ତା ବୋଲି ଜଣାପଡିଥିବାବେଳେ ସେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ। ପଜିଟିଭ୍‌ ଚିହ୍ନଟ ପରେ ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ବାଣପୁରର କେଶପୁର ଗାଁ ଓ ଖୋର୍ଦ୍ଧା ପୌରାଞ୍ଚଳର କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଘୋଷଣା ସହ କେଶପୁର ଗାଁରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ