ଖୋରଧାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଟାଙ୍ଗିଆପଡାସ୍ଥିତ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୮୬ତମ ଜୟନ୍ତୀ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ମୃତି ସଂସଦର ରାଜ୍ୟ ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ସ୍ମୃତି ସଂସଦର ସଭାପତି ଡକ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଆଜି ପାଇକ ସଂଗ୍ରାମକୁ ୨୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିର କେନ୍ଦ୍ର ସରକାର ସେହି ବୀର ପୁଙ୍ଗବ ତଥା ପାଇକ ମାନଙ୍କର ଅମ୍ଳାନ ଦିନର ମହାନ୍ ସ୍ମୃତି ଇତିହାସକୁ କାଳ କାଳ ପାଇଁ ଜୀବିତ କରି ରଖିବା ପାଇଁ ଏହି ଖୋର୍ଦ୍ଧାର ବରୁଣେଇ ପାହାଡର ପାଦ ଦେଶର ବିଶାଳ ଭୂଖଣ୍ଡରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ମ଼ିଳିତ ଭାବରେ ଶହ ଶହ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରତିଶୃତି ବଦ୍ଧ। ସେଥିପାଇଁ ଖୋର୍ଦ୍ଧା ତଥା ଓଡିଶାର ଏହି ମହାନ୍ ଗାଥାକୁ ମଳିନ ହେବାକୁ ନଦେଇ ଆଜିର ରାଜ୍ୟ ସରକାର ସମସ୍ତ ପ୍ରକାର ରାଜନୀତିରୁ ଉଦ୍ଦ୍ୱର୍ରେ ରହି କୋଟି କୋଟି ଓଡିଆଙ୍କ କୋହକୁ ଅନୁଭବ କରି କେନ୍ଦ୍ର ସରକାର ମାଗିଥିବା ୫୦ ଏକର ଜମି ପରିବର୍ତେ ୧୦୦ ଏକରର ଭୂଖଣ୍ଡ ସେହି ଐତିହାସିକ ବରୁଣେଇର ପାଦ ଦେଶରେ ଯୋଗାଇ ଦିଅନ୍ତୁ। ମୁଖ୍ୟ ଅତିଥି ଜୟୀ ରାଜଗୁରୁଙ୍କର ଜୀବନାଦର୍ଶକୁ ମନେ ପକାଇ ଏକ ଭାବବିହ୍ୱୋଳ ଢଙ୍ଗରେ କହିଲେ ଯେଉଁମାନେ ଇଂରେଜ ମାନଙ୍କୁ କଡାକଡି ଭାବରେ ବିରୋଧ କରିଥିଲେ, ସେମାନଙ୍କୁ ଇଂରେଜମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି ଏବଂ ସେହି ଐତିହାସିକ ତଥ୍ୟ ସମୂହକୁ ଲୋକଲୋଚନକୁ ଆଣିବାକୁ ଦିଆଯାଇନାହିଁ। ବର୍ତମାନ ସମୟ ଆସିଛି ସେସବୁ ତଥ୍ୟସମୂହକୁ ପୁନରୁଦ୍ଧାର କରି ଏହି ବୀର ଜାତିର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ହେବ। ବରୁଣେଇର ଶୀର୍ଷ ଭାଗରେ ଜୟୀରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କର ଦୁଇଟି ପୂର୍ଣ୍ଣ ଅବୟବ ସ୍ଥାପନା କରାଯାଇ ଏହାକୁ ଏକ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ମୁଖ୍ୟ ଅତିଥି ଦୃଢ଼ ଦାବି କରିଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ଯୋଗଦେଇ କହିଲେ ଜୟୀ ରାଜଗୁରୁ ନିଜର ମାଟି ମାଆ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଏକ ଅଜେୟ ଶକ୍ତି ବିରୋଧରେ ସଂଗ୍ରାମ ଚଳାଇ ଓଡ଼ିଶା ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ତାଙ୍କଦ୍ୱାରା ଅନୁସୃତ ପନ୍ଥା ପରବର୍ତୀ ସମୟର ପାଇକ ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ତାଙ୍କ ସଂଗ୍ରାମ ତଥା ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉତ୍ସ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଛି, ଯାହାକି ଏହି ବିଶାଳ ଭାରତ ବର୍ଷର ସ୍ୱାଧୀନତା ପାଇଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ ହୋଇପାରିଛି ଏବଂ ସେହି ବୀର ଶହୀଦ ଦେଶ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ବୋଲି କୁହାଯାଉଛି। ଏହି ବୀରତ୍ୱର ବାର୍ତା ଆମର ପରପୀଢ଼ିମାନେ ଜାଣିଲେ ଏହି ଓଡିଆ ଜାତିର ଉତଥାନ ହୋଇପାରିବ। ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଧ୍ୟାପକ ତାରା ଶଙ୍କର ମହାପାତ୍ର ଯୋଗଦେଇ କହିଲେ ଜୟୀ ରାଜଗୁରୁଙ୍କ ଭଳି ସାହସୀ, ସ୍ୱାଭିମାନୀ ଯୋଦ୍ଧା ପୃଥିବୀ ଇତିହାସରେ ବିରଳ, କିନ୍ତୁ କ୍ଷୋଭର ବିଷୟ ତାଙ୍କ ସ୍ମୃତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସେଭଳି କିଛି କାମ କରି ନାହାଁନ୍ତି। ଆଜିର କେନ୍ଦ୍ର ସରକାର ସେଥିପାଇଁ ଆଗେଇ ଆସିଥିବାରୁ ଆମେ ଗର୍ବିତ। ଶେଷରେ ଡି ନାଗେଶ୍ୱର ପାତ୍ର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟ ସୁନ୍ଦର ରଣା, ଅନ୍ତର୍ଯ୍ୟ।।ମୀ ସେନାପତି, ଲକ୍ଷ୍ମୀଧର ସେନାପତି, ଜ୍ୟୋତିରଂଜନ ସାହୁ, ଶରତ ବାରିକ, ନମିତା ସାହୁ, ବିଜୟଲକ୍ଷ୍ମୀ ମିଶ୍ର, ପ୍ରଣତି ଚମ୍ପତି, ସୁଶ୍ରୀ ଚିନ୍ମୟୀ ବିଶୋୟୀ, ରାଜଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।