‘ଖୋଲାଖୋଲି କୁହ ଯେ ଋଷକୁ ଡର ଲାଗୁଛି.’ ଏପରି କହି ନାଟୋ ଦେଶ ଉପରେ ବର୍ଷିଲେ ଜେଲେନସ୍କି
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ନିଜ ଦେଶର ସ୍ୱାଧୀନତାକୁ ବଜାୟ ରଖିବାକୁ ଅନ୍ୟ ଦେଶ ମାନଙ୍କ ଆଗରେ ଅନେକ ହାରି ଗୁହାରି ହେଉଛନ୍ତି । ଏଭଳି ସ୍ଥିତିରେ ନାଟୋ ଦେଶମାନଙ୍କ ଉପରେ ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଯୁଦ୍ଧ ସମାପ୍ତ କରିବାକୁ ଯେକୌଣସି ସର୍ତ୍ତ ଉପରେ , ଯେକୌଣସି ପରିସ୍ଥିତିରେ ହେଉ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଜେଲେନସ୍କି । ସିଧାସଳଖ କଥା ନହେବା ଯାଏଁ ପୁଟିନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିହେବନାହିଁ ବୋଲି ଜେଲେନସ୍କି କହିଛନ୍ତି । କହିରଖୁଁ, ଦୁଇ ଦେଶ ମଧ୍ୟରେ ପ୍ରତିନିଧି ସ୍ତରରେ ଅନେକ ଥର ଆଲୋଚନା ହୋଇସାରିଥିଲେ ବି ଶାନ୍ତିର କୌଣସି ସୂତ୍ର ମିଳିନାହିଁ । ଏହି କ୍ରମରେ ନାଟୋ ଦେଶମାନଙ୍କୁ ବି ପ୍ରଶ୍ନ କରିଛନ୍ତି ଜେଲେନସ୍କି । ୟୁକ୍ରେନକୁ ନାଟୋରେ ସ୍ଥାନ ମିଳିବ କି ନାହିଁ ଏକଥା ନାଟୋ ପକ୍ଷରୁ ସ୍ପଷ୍ଟ କରାଯିବା ଉଚିତ । କେବଳ ଏତିକି ନୁହେଁ ନାଟୋ ଉପରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ‘ ନାଟୋ ଯଦି ଋଷକୁ ଡରୁଥାଏ ତେବେ ଖୋଲାଖୋଲି କହୁ’ ବୋଲି ପ୍ରଶ୍ନ କରିଛନ୍ତି ଜେଲେନସ୍କି ।