ଖୋଲାସ୍ଥାନ ଓ ଅବ୍ୟବହୃତ ସ୍ଥାନ ଗୁଡ଼ିକ ଜନସାଧାରଣଙ୍କ ସେବାରେ ନିୟୋଜିତ କରାଯିବ : ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇ ବିନିଯୋଗ କରାଯିବା ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧ୍ୟକ୍ଷ ମିଶ୍ର । ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ସାଂସ୍କୃତିକ ସଂଘ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ଅବସରରେ ଏହା ମତବ୍ୟକ୍ତ କରି ଅଧ୍ୟକ୍ଷ କହିଥିଲେ ଏଥିପାଇଁ ଦରକାର ପଡ଼ିଲେ ଜନସାଧାରଣ ତଥା ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଜବର ଦଖଲ ଉଚ୍ଛେଦ ସହ ଏହି ସ୍ଥାନର ଉନ୍ନତି କରଣ, ପ୍ରକଳ୍ପ ଗୁଡ଼ିକରେ ଆଲୋକ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯିବ । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସଭ୍ୟ ବଟକୃଷ୍ଣ ପଣ୍ଡା, କୁମର ବାରିକ, ଆଲୋକ ପରିଡ଼ା, ଶିଶିର କୁମାର ମହାରଣା, ବିଷ୍ଣୁ ଦାସ, ସର୍ବେଶ୍ୱର ପରିଡ଼ା, ଗଦାଧର ରଥ ଓ ଅର୍ଜୁନ ଦେହୁରୀ ପ୍ରମୁଖଙ୍କୁ ନେଇ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ନବନିଯୁକ୍ତ ଅଧ୍ୟକ୍ଷ ମିଶ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଏହି ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସଂଘ ତରଫରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମରଣିକା ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ । ଏଥି ସହ ସଂଘର ବିଭିନ୍ନ ଆଭିମୁଖ୍ୟ, ରୌପ୍ୟ ଜୟନ୍ତୀ ପାଳନ ତଥା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଅଧ୍ୟକ୍ଷଙ୍କୁ ଅବଗତ କରାଯିବା ସହ ଯେ କୌଣସି ଗଠନ ମୂଳକ କାର୍ଯ୍ୟରେ ସଂଘର ଯୋଗଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଅଧ୍ୟକ୍ଷ ମଧ୍ୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ସଂଘର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସଂଘକୁ ଯାଥାସମ୍ଭବ ସାହାଯ୍ୟ ଓ ସହୋଯୋଗ କରିବା ପାଇଁ ପ୍ରତିଶ୍ରୁତି କରିଥିଲେ । ସଂଘର ଏହି ଆଭିମୁଖ୍ୟକୁ ଅଞ୍ଚଳବାସୀଙ୍କ ତରଫରୁ ସ୍ୱାଗତ କରାଯାଇଛି ।