ଖୋଲିଲାନି ହଦଗଡ଼ ଡ୍ୟାମ ଫାଟକର ତାଲା ବଢୁଛି ଅସନ୍ତୋଷ, ସୁରକ୍ଷାକର୍ମୀ ଙ୍କ ବ୍ୟବହାରକୁ ନେଇ ଉତ୍ତେଜନା

ହାଟଡିହି, (ବିକାଶ ବିଶ୍ୱାଳ):ଗତ ଜୁନ ମାସ ୧୨ ତାରିଖରୁ ହଦଗଡ଼ ଡ୍ୟାମରେ ପରିଦର୍ଶନ କୁ ବନ୍ଦ କରଯାଇଛି। ଗେଟରେ ତାଲା ପକାଯାଇ ପର୍ଯ୍ୟଟକ ମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ନଦୀବନ୍ଧର ଅପର ପାର୍ଶ୍ଵରେ ରହୁଥିବା ଲୋକମାନଙ୍କ ପାଇଁ ଯାତାୟାତ ର ସୁବିଧା ନଥିବାରୁ ସେମାନଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ ସଦୃଶ ହୋଇଛି। ଅନେକ ଦାବି ସତ୍ତ୍ୱେ ବି ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଏନେଇ ପଦକ୍ଷେପ ନେଉ ନଥିବାରୁ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାଯାଇଛି। ଆଜି ଆନନ୍ଦପୁର ଅଞ୍ଚଳର କିଛି ଯୁବକ ଡ୍ୟାମ ବୁଲିବାକୁ ଯାଇଥିବା ବେଳେ ଗେଟ ଖୋଲାଥିବାରୁ ସେମାନେ ଡ୍ୟାମ ଉପରକୁ ବୁଲିବାକୁ ପଳାଇଥିଲେ। ସେମାନେ ଫେରିବା ବେଳକୁ ସେଠାରେ ଉପସ୍ଥିତ ସିକ୍ୟୁରିଟ ଗାର୍ଡ ଗେଟ ରେ ତାଲା ପକାଇ ଦେଇଥିଲେ। ଉକ୍ତ ଯୁବକ ମାନେ ବାରମ୍ବାର ଅନୁରୋଧ କଲେ ବି ସେମାନେ ଆଉ ତାଲା ଖୋଲି ନଥିଲେ ଓ ଓଲଟା ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ଦୂର ଦୁରନ୍ତାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିବକୁ ଆସୁଥିବା ବେଳେ ସେଠାରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ବୁଝାଇବା ପରିବର୍ତ୍ତେ ଦୁର୍ବ୍ୟବହାର କରୁଥିବାରୁ ସେଠାରେ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଚ୍ଜି। ସେହିପରି ନଦୀର ଅପରପର୍ଶ୍ୱରେ ରହୁଥିବା ଦଲକି, ପିତାନାଉ ଲୋକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ହଡଗଡ଼ ବଜାର ଉପରେ ନିର୍ଭର କରିଥାନ୍ତି। ସେମାନଙ୍କ ମୁଖ୍ୟ ବେଉସା ଏବେ ଚାଷ ହୋଇଥିବାରୁ ସେମାନଙ୍କ ପନିପରିବା ଏଠାକୁ ବିକ୍ରି କରିବାକୁ ଆଣୁଛନ୍ତି। ରାସ୍ତାର ସୁବିଧା ନଥିବାରୁ ସେମାନେ ଡ଼ଙ୍ଗାରେ ଧରି ଆସିବା ପରେ ଡ୍ୟାମ ଉପର ଦେଇ ଯାତାୟାତ କରିଥାନ୍ତି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟରୁ ପିଡ଼ିଏସ ସାମଗ୍ରୀକୁ ମଧ୍ୟ ଡ଼ଙ୍ଗାରେ ନେଇ ଘରକୁ ଯାଇଥାନ୍ତି। କିନ୍ତୁ ଏବେ ଗେଟ ରେ ତାଲା ପଡ଼ୁଥିବାରୁ ଗେଟ ଉପରେ ଚଢ଼ି ଅତି ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏନେଇ ପୂର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ଅଭିମନ୍ୟୁ ନାଏକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ରଜ ସମୟରେ ଭଦ୍ରକ ଅଞ୍ଚଳର ଦୁଇଜଣ ଛାତ୍ର ଡ୍ୟାମର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ୍ଟ ନିକଟରେ ଗାଧୋଇବାକୁ ଯାଇ ବୁଡି ମୃତ୍ୟୁବରଣ କରିଥିଲେ। ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମକୁ ଚାବି ପକାଇ ବନ୍ଦ କରିଦେଇଛନ୍ତି। ଏହି ଦୁଇ ଛାତ୍ର ମୃତ୍ୟୁ ଘଟଣା ରେ ଜଳସମ୍ପଦ ବିଭାଗର କୌଣସି ଭୂମିକା ନଥିବା ବେଳେ କାହା ଚାପରେ ଡ୍ୟାମ ଫାଟକରେ ତାଲା ପଡିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ