ଗଂଗଦା ହାଟରେ ମା’ଶାରଳା ପୂଜା
ନାଉଗାଁ-:ନାଉଗାଁ ବ୍ଳକ ଅନ୍ତର୍ଗତ ଗଂଗଦାହାଟରେ ମା’ଶାରଳା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୨୭ତମ ବାର୍ଷିକ ମା’ଶାରଳାଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଗୁରୁବାର ସଂଧ୍ୟାରେ ମା’ଙ୍କ ଆଜ୍ଞାମାଳ ବରଣୀ ପାଇଁ ପରିଷଦ ତରଫରୁ ମହାଶୋଭାଯାତ୍ରାରେ ଝଙ୍କଡବାସିନୀ ମା’ଶାରଳାଙ୍କ ପୀଠରେ ପହଁଚି ମା’ଙ୍କ ଆଜ୍ଞାମାଳ ଆଣିଥିଲେ । ନବ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଶାଳିଜଙ୍ଗାସ୍ଥିତ ମହିମା ଆଶ୍ରମର ବାବା ଶ୍ରୀ ଗଦାଧର ଦାସ ଶୁଭ ଉଦଘାଟନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶାର ବରେଣ୍ୟ ସାଧସନ୍ଥମାନେ ଯୋଗଦାନ କରି ପ୍ରତ୍ୟହ ସଂଧ୍ୟାରେ ଧର୍ମସଭା ଓ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଓଡିଶୀ, ପଲ୍ଲୀନୃତ୍ୟ, ଭଜନ ନୃତ୍ୟ, ଗୀତିନାଟ୍ୟ, ପାଲା ଆଦି କାର୍ଯ୍ୟକ୍ରମ ମାନ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ଏହି ଅଂଚଳରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟହ ସଂଧ୍ୟାରେ ଉକ୍ତ କାର୍ଯ୍ୟକ୍ରମକୁ ଗୋଠଦା ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଜୀଉ ସଭାପତିତ୍ୱ କରିବେ ବୋଲି ପରିଷଦର ପକ୍ଷରୁ ସୂଚନା ଦିଆଯାଇଛି ।