ଗଂଜାମରେ ମରୁଡିର ଧ୍ୱନୀ ଶୁଭୁଥିବା ବେଳେ ବ୍ୟାଙ୍କ ମାନେ ଚାଷୀଙ୍କ ଠାରୁ ଚକ୍ରବୃଦ୍ଧି ସୁଧ ଆଦାୟ କରୁଛନ୍ତି
ଛତ୍ରପୁର, (ଓ୍ବାଇଏନ୍ଏସ୍):ଚଳିତ ବର୍ଷ ଅଳ୍ପ ବର୍ଷା ହେବା ଯୋଗୁଁ ଜିଲ୍ଲାର ଅଧିକାଂଶ ଅଂଚଳରେ ତଳି ପୋଡି ଓ ଗଜା ମରୁଡି ହୋଇଗଲାଣି । ବୁଣା ଧାନ ବର୍ଷା ଅଭାବରୁ ବେଉଷଣ ହେଉପାରୁନାହିଁ । ବୃହତ୍ତଜଳ ଭଣ୍ଡାର ପ୍ରକଳ୍ପ ଗୁଡିକ ପୋତି ହୋଇଯିବାରୁ ଜଳ ଧାରଣା କମି ଯିବାରୁ କେନାଲରେ ପାଣି ଆସୁନି । ସବୁ ଜଳସେଚନ ପ୍ରକଳ୍ପ ଗୁଡିକ ସୁଖି ଯାଇଛି । ଏପରିସ୍ଥଳେ ଇନ୍ଦ୍ର ହି ଭରସା । ବର୍ଷା ଦିନେ ମଧ୍ୟ ଜଳ ଭଣ୍ଡାରରେ ପାଣି ରହୁନି । ଗଂଜାମ ଜିଲ୍ଲାର ନିର୍ଭର ଯୋଗ୍ୟ ଉଠା ଜଳସେଚନ ବିଭାଗକୁ ପଙ୍ଗୁ କରି ଭାଙ୍ଗି ଦିଆଯାଇଛି । ୧୯୮୫ମସିହାରେ ଜିଲ୍ଲାରେ ୧୫୩୦ଟି ସରକାରି ଏଲ ଆଇ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏବେ ୧ହଜାରଟି ପମ୍ପ କାର୍ଯ୍ୟକ୍ଷମ ନାହିଁ । ପାଣି ପଂଚାୟତ ନାମରେ ପମ୍ପ ଗୁଡିକୁ କେତକ ମୁଷ୍ଟିମେୟ ଲୋକଙ୍କ ହାତରେ ଟେକି ଦେଇ ବିଭାଗୀୟ ଅଧିକାରୀ ମାନେ ଦରମା ପାଇଁ ସବୁ ଜାଣି ନାଭିରେ ତେଲ ପକାଇ ଶୋଇରହୁଛନ୍ତି । ଏପରି ମରୁଡି ପରିସ୍ଥିତିରେ ମଧ୍ୟ ଯନ୍ତ୍ରୀ ମାନଙ୍କ ଦେଖା ମିଳୁନାହିଁ । ଧାନ ତଳି କୁ ବଞ୍ଚାଇବା ପାଇଁ ଚାଷୀ ମାନେ ହନ୍ତସନ୍ତ ହୋଇ ପାଣି ବୋହି ପକାଉଥିବା ବେଳେ କରୋନା କୁ ଭେଳିଦେଖାଇ କର୍ମଚାରୀ ମାନେ ଅଂଚଳକୁ ଯାଉନଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ମାତ୍ର ୪୦ଭାଗ ଜମିକୁ ଜଳସେଚନର ସୁବିଧା ଥିବା ବେଳେ ଆଉ ସବୁ ସ୍ୱର୍ଗ ଆଶାରା । ସେପଟେ କରୋନା କଟକଣା ଯୋଗୁଁ ଜିଲ୍ଲାପ୍ରଶାସନ ସବୁ ଅଫିସକୁ ଚାଷୀଙ୍କୁ ଯିବାକୁ ବାରଣ କରିଥିବାରୁ ଅଧିକାଂଶ ଗରୀବ ଚାଷୀ ଓ ଭାଗଚାଷୀ କୃଷି ଋଣ ନବୀକରଣ କରି ନାହାନ୍ତି । ଫଳରେ ଫସଲ ବୀମା ଯୋଜାନରୁ ଚାଷୀ ମାନେ ବଞ୍ଚିତ ହୋଇ ରହିଛନ୍ତି । ଯେଉଁ ଚାଷୀ ମାନେ କୃଷି ଋଣ ବ୍ୟାଙ୍କରୁ ଆଣି ଥିଲେ । ମାର୍ଚ୍ଚ ମାସରେ ଜମା କରିନଥିବାରୁ ବର୍ତ୍ତମାନକୁ ସୁଧର ସୁଧ ମିଶି ଚକ୍ରବୃଦ୍ଧି ସୁଧ ବିଭିନ୍ନ ବ୍ୟାଙ୍କ ଗୁଡିକ ଚାଷୀଙ୍କ ଠାରୁ ଜବରଦସ୍ତି ଆଦାୟ କରୁଛନ୍ତି । ସରକାର ଚାଷୀଙ୍କୁ ଶତକଡା ୪ ଭାଗ ସୁଧ ଦେବା ନିମନ୍ତେ ଘୋଷଣା କରିଥିଲେ ବି ବ୍ୟାଙ୍କ ଶତକଡା ୧୨ଭାଗ ସୁଧରେ କୃଷି ଋଣ ଆଦାୟ କରୁଛନ୍ତି । କରୋନା ସମୟରେ ଏହା ଚାଷୀଙ୍କ ଉପରେ ଲଳିତା ବିଡା ସଦୃଷ ହୋଇଛି । ଜିଲ୍ଲାପ୍ରଶାସନ କରୋନା ପାଇଁ ବ୍ୟସ୍ତ ଏପଟେ ଚାଷୀଙ୍କ ଦୁଃଖ ବୁଝିବାକୁ କିଏ ନାହିଁ । ଜିଲ୍ଲାରେ ୨.୧୪୯୪ ହେକ୍ଟର ଧାନ ଚାଷ ଜମି ଥିବା ବେଳେ ଏକଲକ୍ଷ ହେକ୍ଟର ଚାଷ ଜମି ପଡିଆ ପଡିଛି । ଜିଲ୍ଲାରେ ଜଳସେଚନ ଓ ମାର୍କେଟ ଘର ସୁବିଧା ନିଥିବାରୁ ୬ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ଓ କୃଷୀ ଶ୍ରମିକ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସମ୍ପାଦକ ସିମାଞ୍ଚଳ ନାହାକ ଏକ ପ୍ରେସ ବିବୃତି ସୂଚନା ଦେଇଛନ୍ତି । ଏଣୁ ତୁରନ୍ତ ଜିଲ୍ଲାପ୍ରଶାସନ ନଦୀ କେନାଲ ଜରିଆରେ ପାଣି ଯୋଗାଇବା ପାଇଁ ମଧ୍ୟ ସେ ଦାବୀ କରିଛନ୍ତି । ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଧାରଣା ଦିଆଯିବ ବୋଲି ସମ୍ପାଦକ ଶ୍ରୀ ନାହାକ କହିଛନ୍ତି ।