ଗଂଜାମ, କନ୍ଧମାଳ ଓ ନୟାଗଡ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଗୃହ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥାନନ୍ ଅଧ୍ୟକ୍ଷତା କରି ବସ୍ତି ବାସିନ୍ଦାଙ୍କୁ ‘ଜାଗା’ ମିସନ୍ରେ ହିତାଧିକାରୀଙ୍କୁ ଥଇଥାନ କରିବାରେ ଗଞ୍ଜାମ ଜିଲ୍ଲା ସୁନବାମ ଅର୍ଜନ କରିଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଜିଲ୍ଲାର ୨୨୯୬ ଜଣ ହିତାଧିକାରୀଙ୍କୁ ଏହି ମିସନ୍ରେ ସାମିଲ କରାଯାଇଥିଲା । ସେଥି ମଧ୍ୟରୁ ୨୪୯ ଜଣ ହିତାଧିକାରୀଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ କରିବାର ବାକି ରହିଛି । ସେହିପରି କନ୍ଧମାଳ ଜିଲ୍ଲାର ୨୦୧୮-୧୯ରେ ୯୨୫ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୫୮୧ ଜଣଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ କରିବାର ବାକି ରହିଛି । ନୟାଗଡ ଜିଲ୍ଲାର ୮୫୭ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୧୨୦ ଜଣ ହିତାଧିକାରୀଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ କରିବାର ବାକି ରହିଛି । ପୂର୍ବରୁ ସହରାଞ୍ଚଳ ଗୁଡିକରେ ନିର୍ବାଚିତ ପ୍ରତିନିଧିମାନେ ଥିଲେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଗଲେ ସେମାନଙ୍କ ପ୍ରସ୍ତାବ ଲୋଡା ଯାଉଥିଲା । ବର୍ତ୍ତମାନ ତାହା ନାହିଁ । ସମସ୍ତ ପ୍ରଶାସନ ଅଧିକାରୀଙ୍କ ନିକଟରେ ଏହି ଦାୟିତ୍ୱ ନ୍ୟସ୍ତ ରହିଛି । ସହରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ ଭଳି ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ନିଜେ ପ୍ରତି ୱାର୍ଡ ତଥା ସହରବାସୀଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟା ଗୁଡିକୁ ସମାଧାନ କରିବାକୁ ହେବ । ସହରର ପରିମଳକୁ ସୁଧାର ଆଣିବାକୁ ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ସକାଳୁ ୬ ଟାରୁ ଉଠି ସହରର ପରିମଳ ସଫାସୁତରା ଉପରେ ତଦାରଖ କରିବାକୁ ହେବ । ଏହାକୁ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳମାନେ ନୀରିକ୍ଷଣ କରିବାକୁ ପଡିବ । ତେବେ ସହରର ପରିମଳ ସୁଧାର ଆସିବ । ସେହିପରି ଜନସାଧାରଣଙ୍କ ପାଇଁ ନିମନ୍ତେ ଶୌଚାଳୟକୁ ମଧ୍ୟ ସଫାସତରା ରଖାଯିବ । ଯେପରି ସହରକୁ ଯେ କୌଣସି ବଡ ହାକିମବାବୁ କିମ୍ବା ମନ୍ତ୍ରୀ, ସାଂସଦ ଆସୁଛନ୍ତି ତେବେ ସେମାନେ ତାହାକୁ ବ୍ୟବହାର କରିବା ପାଇଁ ନିଆଯାଇ ପାରିବ । ସେହିପରି ଜାତୀୟ ଗ୍ରୀନ୍ ଟ୍ରିବୁନାଲ ନିର୍ଦ୍ଦେଶ କ୍ରମେ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ସହରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ସ୍ଥିତି ରିପୋର୍ଟ ପ୍ରଦାନ କରାଯିବ । ଏଥିରେ ଯେ କୌଣସି ସହରାଞ୍ଚଳ କାର୍ଯ୍ୟରେ ଅବହେଳା କରିବ ସେଥିପାଇଁ ଜରିମାନା ଭରଣ କରିବାକୁ ପଡିବାର ରହିଛି । ତିନୋଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍ଏସିର ସମସ୍ତ ଘରକୁ ପାଣି ପାଇପ୍ ଲାଇନ୍ ସଂଯୋଗୀକରଣ ହୋଇଥିବାରୁ ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କୁ ସଚିବ ପ୍ରଶଂସା କରିଥିଲେ । ଏହାକୁ ଆଧାର କରି ସମସ୍ତ ସହରାଞ୍ଚଳ ଗୁଡିକ ପଦକ୍ଷେପ ନିଆଯିବ । ଆଗକୁ ଖରାଦିନ ଆସୁଥିବାରୁ ଏହାକୁ ଗୁରୁତ୍ୱ ସହ ଗ୍ରହଣ କରିବାକୁ ହେବ । ସମସ୍ତ ସହରକୁ ୨୪ ଘଣ୍ଟା ପାଣି ଯୋଗାଣ କରିବା ଦିଗରେ ପଦକ୍ଷେପ ନେବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସହରରେ ଥିବା ଆହାର କେନ୍ଦ୍ର ଗୁଡିକର ଖାଦ୍ୟର ଗୁଣମାନକୁ ତଦାରଖ କରାଯିବ । ଆନୁଷଙ୍ଗିକ ସମସ୍ତ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରାଯିବ । ସମସ୍ତ କେନ୍ଦ୍ରରେ ବାସନକୁସନ ଧୋଇବା ପାଇଁ ଯନ୍ତ୍ର ରହିବ । ଯାହାର ନାହିଁ ସେମାନେ ତୁରନ୍ତ କ୍ରୟ କରିବେ । ସିସି କ୍ୟାମେରା ଲଗାଯାଇ ନଥିବା କେନ୍ଦ୍ର ଗୁଡିକରେ ତୁରନ୍ତ ଲଗାଯିବ । ଯେଉଁ ଆହାର କେନ୍ଦ୍ର ଗୁଡିକର ନିଜସ୍ୱ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି ତାହାକୁ ଶୀଘ୍ର ସାରିବାକୁ ହେବ । ଆସିକା ଆହାର କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଯନ୍ତ୍ର ଲଗାଯାଇ ନଥିବା ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଶାସନ ସଚିବ ବିରକ୍ତି ପ୍ରକାଶ କରିଥିଲେ । ସମସ୍ତ ସହରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ କନିଷ୍ଠ ଯନ୍ତ୍ରୀଙ୍କୁ ସମାନ ଭାବରେ କାର୍ଯ୍ୟକୁ ବଣ୍ଟନ କରାଯାଉ । ଜଣଙ୍କ ଉପରେ ଅଧିକା ଦାୟିତ୍ୱ ନ୍ୟସ୍ତ କରିବା ଠିକ୍ ନୁହଁ ବୋଲି ସଚିବ କହିଥିଲେ । ସେହିପରି ପ୍ରତି ୱାର୍ଡରୁ ଜଣେ ଲେଖାଏଁ ସ୍ୱଚ୍ଛସାଥୀ ଓ ଜଳସାଥୀଙ୍କୁ ପଞ୍ଜିକରଣ କରିବାର ବ୍ୟବସ୍ଥା କରାଯିବ । ଫଳରେ ଏକ ଦଳଗତ ଭାବେ ସହରର ବିକାଶ ପାଇଁ କାର୍ଯ୍ୟ କରିବାକୁ କୁହାଯାଇଛି । ଇଇସିଏଲ୍ ଘରୋଇ ସଂସ୍ଥାକୁ ସହରର ଷ୍ଟ୍ରିଟ୍ ଲାଇଟ୍ ପ୍ରଚଳନ କରିବା ପାଇଁ ଚୁକ୍ତିନିମା ହୋଇଛି । ଯାହାର ଯାହା ବାକି ରହିଥିବା ଲାଇଟ୍ ଲଗାଇବାର ରହିଛି ସେ କାମ ତୁରନ୍ତ ଶେଷ କର । ଏହି କାର୍ଯ୍ୟ ନ ସରିବାରୁ ସଂସ୍ଥାକୁ ରକ୍ଷଣ ବେକ୍ଷଣରେ ବାଧା ଉପୁଜିଛି । ଫଳରେ ବିଗତ ତିନିମାସ ହେଲା ୧୪୭ ଟି ବିଧାନସଭା ଅଞ୍ଚଳରୁ ଷ୍ଟ୍ରିଟ୍ ଲାଇଟ୍ ସଂକ୍ରାନ୍ତରେ ନାନା ପ୍ରକାର ଅଭିଯୋଗ ଆସୁଅଛି । ଆସନ୍ତା ବିଧାନସଭା ବୈଠକ ପୂର୍ବରୁ ଯେପରି ସମସ୍ତ ବାକି ରହିଥିବା କାର୍ଯ୍ୟକୁ ଶେଷ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହୋଲଡିଂ ଟିକିସ, ରାଜସ୍ୱ ଆଦାୟ ଏବଂ ଅନ୍ୟାନ୍ୟ ଟିକସ ଆଦାୟ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେବା ସହ ରାଜ୍ୟ ଗୃହ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ଗଞ୍ଜାମ ଜିଲ୍ଲାର ସମସ୍ତ ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ନୟାଗଡ ଜିଲ୍ଲାପାଳ ଡ. ପୁମା ଟୁଡୁ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ରାଜ୍ୟ ଗୃହ ନଗର ଉନ୍ନୟନ ବିଭାଗର (ଡିଏମ୍ଏ) ସଂଗ୍ରାମଜିତ୍ ନାୟକ, ଯୁଗ୍ମ ନିର୍ଦ୍ଦେଶକ କଲ୍ୟାଣ କୁମାର ରଥ, ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା, ଯୁଗ୍ମ ସଚିବ ଦୁର୍ଗ ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ତିନୋଟି ଜିଲ୍ଲାର ସହରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।