ଗଂଜାମ ପୋଲିସ ପକ୍ଷରୁ ୬୨ ତମ ପୁଲିସ ସହୀଦ୍ ସ୍ମୃତି ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପୋଲିସ ପଡିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲା ତରଫରୁ ୬୨ ତମ ପୋଲିସ ସହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାଏ ଯୋଗଦେଇ ଅମର ଜବାନ ସ୍ମୃତି ସ୍ତମ୍ଭ ରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ । ନିଜର କର୍ତ୍ତନ୍ୟ, ନିଷ୍ଠା, ଓ ପରାକାଷ୍ଠା ଦେଖାଇ ଦେଶ ରେ ୩୯୯ଜଣ ପୋଲିସ କର୍ମଚାରୀ ପ୍ରାଣ ବଳି ଦେଇଛନ୍ତି ବୋଲି ଏସପି କହିଛନ୍ତି । ପରେ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ସହୀଦ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୀଦ ପୋଲିସ କର୍ମଚାରୀ ଓସେମାନଙ୍କ ବଳିଦାନ ସଂପର୍କରେ ଦେଇଥିବା ବାର୍ତ୍ତା ପଢିଥିଲେ । ପୋଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ଓ କରୋନା ସମୟରେ ଲୋକଙ୍କ ସେବା କରିବା ସହ ପ୍ରାଣବଳି ଦେଇ ସାଧାରଣ ଜନତା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଚଳିତ ସହୀଦ୍ ଦିବସ ଅବସରରେ ଓଡିଶା ରାଜ୍ୟରେ ୨୬ ଏବଂ ସମଗ୍ର ଦେଶରେ ୩୯୯ ଜଣ ପୁଲିସ କର୍ମଚାରୀ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନାମ ଏସପି ପାଠ କରିବା ସହିତ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏହାସହ କରୋନା ମହାମାରୀରେ ଲୋକଙ୍କ ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲାର ପୁଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ଏଥିରେ ଗଞ୍ଜାମ ପୁଲିସ ଜିଲ୍ଲାର ବହୁ କର୍ମଚାରୀମାନେ କରୋନା ଆକ୍ରାନ୍ତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେହି କର୍ମଚାରୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଜଣାଇବା ସହ ସହୀଦ୍ ହୋଇଥିବା ପୁଲିସ କର୍ମଚାରୀଙ୍କ ପରିବାରର ସମସ୍ତ ସୁଖଦୁଃଖ ସମୟରେ ଗଞ୍ଜାମ ପୁଲିସ ରହିଛି ବୋଲି ଗଞ୍ଜାମ ଏସ୍ପି ଶ୍ରୀ ରାଏ ତାଙ୍କରି ଅଭିଭାଷଣ କହିଥିଲେ । ସେହିପରି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି.କେ. ଦଳାଇ ଓ ରମେଶ ଚନ୍ଦ୍ର ସେଠୀ ସହୀଦ୍ଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଚ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଗୌତମ କିଷାନ,ଡିଏସପି ସିମା ସ୍ୱାଇଁ, ମମତା ନାୟକ, ଅଜୟ କୁମାର ମିଶ୍ର ଓ ଏସ୍.ଏସ୍.ମହାପାତ୍ର, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ ଓ ବିବେକାନ୍ଦ ନାୟକ, ମୁଖ୍ୟ କିରାଣୀ ଗୌରୀଶଙ୍କର ବିଷୋୟୀ ଓ ଏ.ରାବଣା ରାଓଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଯୋଗଦେଇ ସହୀଦ୍ମାନଙ୍କ ସ୍ମୃତିଚାରଣ କରିଥିଲେ ।