ଗଙ୍ଗାଧର ମହାପାତ୍ର ଥିଲେ ଅଜାତ ଶତ୍ରୁ : ୧୦୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାର ବରିଷ୍ଠ ଜନନେତା, ପୂର୍ବତନ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୦୯ତମ ଜୟନ୍ତୀ, ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଧବାର ଭୁବନେଶ୍ୱର ଭାରତୀୟ ବିଦ୍ୟାଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମାନ୍ୟବର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ପ୍ରକୃତରେ ଗଙ୍ଗାଧର ମହାପାତ୍ର ଥିଲେ ଅଜାତ ଶତ୍ରୁ । ରାଜନୈତିକ ଦଳମତ ନର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ । ‘ଗଙ୍ଗୁ ଭାଇନା’ ଓଡ଼ିଶା ରାଜନୀତିରେ ଦୀର୍ଘ ୫୦ ବର୍ଷ ଧରି ସେ ମୂଲ୍ୟବୋଧଭିତ୍ତିକ ରାଜନୀତିର ଥିଲେ ଉଦାହରଣ । ଆଜି ଯେଉଁ ଯୁବକମାନେ କହୁଛନ୍ତି ପଇସା ନହେଲେ ରାଜନୀତି ହୋଇପାରିବ ନାହିଁ, ସେମାନେ ଗଙ୍ଗାଧର ବାବୁଙ୍କ ଜୀବନୀକୁ ଅନୁଶୀଳନ କରିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସିବିଆଇ ବିଚାରପତି ମାନନୀୟ ସଞ୍ଜୟ କୁମାର ପଣ୍ଡା ସ୍ୱର୍ଗତ ମହାପାତ୍ରଙ୍କୁ ଜଣେ ଦକ୍ଷ ପାର୍ଲାମେଣ୍ଟରିଆନ ଭାବେ ବର୍ଣ୍ଣନା କରିଥିଲେ । କୋର୍ଟ ରୁମ୍‌ରେ ତାଙ୍କର ଅକାଟ୍ୟ ଯୁକ୍ତି ପାଖରେ ଅପରପକ୍ଷ ଓକିଲ ମାନେ ସ୍ତବ୍ଧ ହୋଇଥାନ୍ତି । ମୁଖ୍ୟବକ୍ତା ବିଶିଷ୍ଟ ବାଗ୍ମି ତଥା ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଗଙ୍ଗାଧର ମହାପାତ୍ରଙ୍କ ପରିବାର ସହିତ ମୋର ୫୦ ବର୍ଷର ସମ୍ପର୍କ । ମଣିଷକୁ କିପରି ଭଲ ପାଇବାକୁ ହେବ ତାହା ଗଙ୍ଗାଧର ମହାପାତ୍ରଙ୍କ ଠାରୁ ଶିକ୍ଷା କରିବାର କଥା । ଜୀବନକାଳ ମଧ୍ୟରେ କେବେ କାହାରି ମନରେ କଷ୍ଟ ଦେଇ ନାହାଁନ୍ତି । ଅହଙ୍କାରଶୂନ୍ୟ ମଣିଷ ଥିଲେ ସ୍ୱର୍ଗତ ମହାପାତ୍ର । ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ତଥା ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ଓ ପୂର୍ବତନ ଡିନ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱର୍ଗତ ମହାପାତ୍ରଙ୍କ ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଓ ଆଜାଦହିନ୍ଦ ଫୌଜରେ ଯୋଗଦାନ ଏବଂ ନେତାଜୀ ସୁଭାଷ ବୋଷଙ୍କ ସହ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ବରିଷ୍ଠ ଆଇନଜ୍ଞ ଦେବୀ ପ୍ରସାଦ ଧଳଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ -୨୦୨୨ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଧଳ ଗଙ୍ଗାଧର ବାବୁଙ୍କ ମହାନୀୟତା ବିଷୟରେ ବର୍ଣ୍ଣନା କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ଉମାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଷାପ୍ରାଣ ପର୍ଶୁରାମ ଦ୍ୱିବେଦୀ, କବି ରମାକାନ୍ତ ମିଶ୍ର, ବ୍ରହ୍ମଗିରିର ଡ଼ାକ୍ତର ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ