ଗଛଟିଏ ଲଗାନ୍ତୁୁ, ସୁସ୍ଥ ରୁହନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳିଙ୍ଗ କଲେଜ ଅଫ କମର୍ସ, ପ୍ରାକ୍ତନ ଯୁବ ରେଡ଼କ୍ରସ ଓ ପ୍ରେରଣା ଗ୍ରୀନ ଆର୍ମିର ମିଳିତ ସହଯୋଗରେ କଲେଜ ପରିସରରେ ଆୟୋଜିତ ‘ସବୁଜ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା’ ସମ୍ପର୍କିତ କାର୍ଯ୍ୟକ୍ରମରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ଦିନକୁ ଦିନ ଗାଡ଼ି ମଟର, କଳ କାରଖାନା ଓ ଜନସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ । ପରନ୍ତୁ ଜଙ୍ଗଲ ସୁରକ୍ଷା, ବୃକ୍ଷ ସୁରକ୍ଷା ପରିବର୍ତ୍ତେ ବ୍ୟାପକ ବୃକ୍ଷ ଛେଦନ କରାଯାଉଛି । ଏଣୁ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଯଥେଷ୍ଟ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି । ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି । ତେଣୁ ଆଗାମୀ ଦିନରେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି । ଏଭଳି ପରିସ୍ଥିତିରେ ଏହି ମହାନ୍ ବିପଦରୁ ରକ୍ଷା ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ ବୋଲି ଡଃ ଶ୍ରୀଚନ୍ଦନ କହିଥିଲେ ।କଲେଜର ଅଧ୍ୟକ୍ଷ ରଜତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଯୁବ ରେଡ଼କ୍ରସ କାଉନସିଲର ସୁଶ୍ରୀ ସବାନା ନସ୍ରିନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଦିପ୍ତୀରଞ୍ଜନ ମିଶ୍ର, ଜୁନିୟର ରେଡ଼କ୍ରସ ଆଲୁମିନି ଆସୋସିଏସନର ସଭାପତି ସିଦ୍ଧାର୍ଥ କୁମାର ମହାନ୍ତି, ସମ୍ପାଦକ ଚନ୍ଦନ ବିଶୋୟୀ, ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କମିଟିର ସଭ୍ୟ ଡ. ତନ୍ମୟ ସ୍ୱାଇଁ, ଅଧ୍ୟାପିକା ଶିଳ୍ପା ଶାଣ୍ଡିଲ୍ୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ପୃଥିବୀ ପୃଷ୍ଠରେ ଜୀବଜଗତ ବଞ୍ôଚ ରହିବାକୁ ହେଲେ ସାମ୍ପ୍ରତିକ ସମୟରେ ବୃକ୍ଷରୋପଣ ଏକ ବଳିଷ୍ଠ ମାଧ୍ୟମ । ଏହାପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ ଓ ପରିଶେଷରେ କଲେଜ ବସ୍ରେ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ଶାନ୍ତିସ୍ତୁପର ଉଦ୍ୟାନରେ ବୃକ୍ଷରୋପଣ କରିଥିଲେ ।


