ଗଛରେ ପିଟି ହେଲା କାର; ୮ ଆହତ
ବୌଦ୍ଧ,(ଓ୍ବାଇଏନ୍ଏସ୍):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଦା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର କରଡାକୋଠା ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ଜଣ ଆହତ ହୋଇଥିବାବେଳେ ୨ଜଣ ଗୁରୁତରଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବରଗଡ ଜିଲ୍ଲା ବରପାଲ୍ଲୀ ଅଂଚଳରୁ ଏକ କାର୍ ନଂ( ଓଡି୧୭ପି-୦୬୬୬) ଗାଡି ଯୋଗେ ଡ୍ରାଇଭର ସମେତ ୮ଜଣ ଭୂବନେଶ୍ୱର ଯାତ୍ରା କରୁଥିଲେ। ଏହି ସମୟରେ କରଡାକୋଠା ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ବାଡେଇ ହୋଇ ଓଲଟିପଡି ଥିଲା। ଫଳରେ ଗାଡିରେଥିବା ଅନୁପ ପୁଜାରୀ(୩୨) ,ଅଭିଷେକ ସାଥୁଆ(୨୯) ଗୁରୁତର ଆହାତ ହୋଇଥିବାବେଳେ ଦଶରଥ ବେହେରା(୪୯), ସରୋଜ ଭୋଇ(୪୭), ରବି ସେଠ୍(୩୦), ବୁଲୁ ପ୍ରଧାନ(୩୨), ଆନନ୍ଦ ପ୍ରଧାନ(୫୫), ସୁନିଲ ପ୍ରଧାନ(୩୫) ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ରାତିରେ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ପୁରୁଣାକଟକ ପରେ ବୌଦ୍ଧ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।