ଗଛ ପାଇଁ ରାଖୀ ରାଖୀ ହେଉ ସବୁଜ ସମ୍ପର୍କର ସାକ୍ଷୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ମାର୍ଟ ନଗରୀ ଭୁବନେଶ୍ୱର ପୋଖରୀପୁଟର ଇନ୍ଦ୍ରପ୍ରସ୍ଥ ଫେଜ୍‌-୨ ଠାରେ କିଛି ପରିବେଶ ଓ ବୃକ୍ଷପ୍ରେମୀ ଏକାଠି ହୋଇ ଏକ ଭିନ୍ନ ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବକୁ ପାଳନ କରିଛନ୍ତି । ପରିବେଶ ଅନୁକୁଳ ରଙ୍ଗ, ବେରଙ୍ଗ ସୂତାକୁ ବ୍ୟବହାର କରି ସେଥିରେ ଗୋଟିଏ ଆକର୍ଷଣୀୟ ରାଖୀ ତିଆରି କରି ସମ୍ପର୍କର ବନ୍ଧନ ସହିତ ଗଛରେ ରାଖୀ ବାନ୍ଧିବା ସହ ସିନ୍ଦୁର, ଚନ୍ଦନ ଫୁଲ ଲଗାଇ ସାରା ବିଶ୍ୱକୁ ପ୍ରକୃତିର ବନ୍ଦନା କରିବାର ଏକ ନିଆରା ବାର୍ତ୍ତା ଦେଇଛନ୍ତି । ବୃକ୍ଷ ପ୍ରେମୀମାନେ ଏ ସମ୍ପର୍କରେ କୁହନ୍ତି ରକ୍ଷାବନ୍ଧନ ହେଉଛି ଅତୁଟ ସମ୍ପର୍କର ନିବିଡ଼ ବନ୍ଧନ । ଜନ୍ମ ଜନ୍ମକୁ ବାନ୍ଧି ହେବାର ଏକ ଅତୁଟ ପ୍ରେମର ନିଚ୍ଛକ ସ୍ପନ୍ଦନ । ସେହିପରି ଗଛ ସହ ଆମର ସମ୍ପର୍କ ଏହିପରି ରହିବା ଦରକାର । ଗଛ ଯେପରି ଏନ୍ତୁଡ଼ିଶାଳରୁ ଶଶ୍ମାନ ପର୍ଯ୍ୟନ୍ତ ନିଃସ୍ୱାର୍ଥପର ଭାବେ ଆମ୍ଭକୁ ସୁରକ୍ଷା ଦେଇଥାଏ, ଠିକ୍ ସେହିପରି ଆମ୍ଭେମାନେ ମଧ୍ୟ ଗଛ ପ୍ରତି ସେମିତି କର୍ତ୍ତବ୍ୟ ସମ୍ପାଦନ କରି ତା’ରି ସୁରକ୍ଷା ଦେବା ସମସ୍ତଙ୍କ ପାଇଁ ଆଜିର ଦିବସରେ ସଂକଳ୍ପ ହେଉ ବୋଲି ବୃକ୍ଷପ୍ରେମୀ ମାନେ ଆଶା ପ୍ରକଟ କରିଥିଲେ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଓ ଚଳଚ୍ଚିତ୍ର ଅଭିନେତା ଡ. ଜ୍ଞାନେନ୍ଦ୍ର କୁମାର ପଲାଇ, ସାଇ ସେବକ ନାରାୟଣ ପ୍ରଧାନ, ବୃକ୍ଷପ୍ରେମୀ ପ୍ର୍ରିୟବ୍ରତ ପଣ୍ଡା, ରାଧାଚରଣ ସାହୁ, ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ, ଅନସୂୟା ସାହୁ ଏବଂ କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ପ୍ରମୁଖ ଗଛରେ ରାଖି ବାନ୍ଧିବା ସହ ତା’ର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଭାଇ-ଭଉଣୀଙ୍କ ସମ୍ପର୍କ ଭଳି ମଣିଷ ଓ ବୃକ୍ଷର ସମ୍ପର୍କ ଅତୁଟ ହେବା ଦରକାର ଏବଂ ରାଖୀ ସବୁଜ ସମ୍ପର୍କର ସାକ୍ଷୀ ହେଉ ବୋଲି ଶ୍ରୀ ସାହୁ ଏହି ଅବସରରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ