ଗଜପତିକୁ ପୁଣି ଫେରିଲା ଲକ୍ଡାଉନ୍ ପାରଳା ସହର ସମେତ ୧୧ଟି ପଞ୍ଚାୟତରେ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଜାରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ସଙ୍ଗୀନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ପାଇଁ ଗଜପତିରେ ପୁଣି ଲକ୍ଡାଉନ୍ ଘୋଷଣା କରାଯାଇଛି । ଗଜପତି ପ୍ରଶାସନ ପାରଳାଖେମୁଣ୍ଡି ସହର ସମେତ ୧୧ଗୋଟି ପଞ୍ଚାୟତକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏନେଇ ପ୍ରେସ୍ ଇସ୍ତହାର ମାଧ୍ୟମରେ ସୁଚନା ଦେଇଛନ୍ତି ଯେ,ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଏବଂ ପାରଳାଖେମୁଣ୍ଡି ମ୍ୟୁନିସପାଲଟି ଓ କାଶୀନଗର ଏନ୍ଏସି ଅଞ୍ଚଳରେ ୨୦ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ହୋଇଛି । ଏଥି ସହ ଗୋଷାଣୀ ବ୍ଲକର କେରାଣ୍ଡି ଓ କତଲକଇଠା,କାଶୀନଗର ବ୍ଲକର ହାଡୁଭାଙ୍ଗି ଓ ରାଣୀପେଣ୍ଠ,ଗୁମ୍ମା ବ୍ଲକର ଝାମି ଓ ଆଶ୍ରୟଗଡ,ରାୟଗଡ ବ୍ଲକର ନାରାୟଣପୁର ଓ କରଡାସିଂ,ଆର.ଉଦୟଗିରି ବ୍ଲକର ଶବରପଲ୍ଲୀ,ନୁଆଗଡ ବ୍ଲକର ଝାଲରସିଂ,ମୋହନା ବ୍ଲକର ପିଣ୍ଡିକି ଆଦି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଲକ୍ଡାଉନ୍ କଟକଣା ମଧ୍ୟ ଜାରି ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ,ପନିପରିବା,ତେଜରାତି ଦୋକାନ ଦୁଗ୍ଧ ଓ ମାଛ ମାଂସ ଆଦି ଦୋକାନ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ରେ ଲାଗୁ ହୋଇଥିବା ସମସ୍ତ ନିୟମ ପୂର୍ବଭଳି ବଳବତ୍ତର ରହିବ । ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କ ଦ୍ୱାରା ଲାଗୁ ହୋଇଥିବା ସଟ୍ଡାଉନ୍ ନିୟମ ମଧ୍ୟ ବଳବତ୍ତର ରହିବ । ଅନୁମତିପ୍ରାପ୍ତ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର,କାର୍ଯ୍ୟଳୟ ଏବଂ ସର୍ବସାଧାରଣଙ୍କ ଯାତାୟତ ବନ୍ଦ ରହିବ । ଏହି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଜରୁରୀ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନ ଥିଲା ଘରୁ ନ ବାହାରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।