ଗଜପତିକୁ ଫେରିଲେ ୫୭୫ ପ୍ରବାସୀ, ୬୭୧ ରୁ ୫୮୯ ନେଗେଟିଭ , ୮୨ଟି ରିପୋର୍ଟ ଆସିନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ବର୍ତମାନ ସୁଦ୍ଧା ୫୭୫ ଜଣ ପ୍ରବାସୀ ଫେରିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ମୋଟ ୬୭୧ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଏଥିରୁ ୫୮୯ ଗୋଟି ନେଗେଟିଭ ରହିଥିବା ବେଳେ ୮୨ ଗୋଟି ରିପୋର୍ଟ ବର୍ତମାନ ସୁଦ୍ଧା ପହଂଚି ନଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୫୫୬ ଜଣ ପ୍ରବାସୀ ଫେରିଥିଲେ । ଗତକାଲି ରାତିରେ ପୁଣି ମହାରାଷ୍ଟ୍ରରୁ ୧୯ ଜଣ ପ୍ରବାସୀ ଫେରିବା ଯୋଗୁଁ ଏହାର ସଂଖ୍ୟା ବୃଦ୍ଧି ପାଇ ୫୫୭ରେ ପହଂଚିଛି । ଏମାନେ ସମସ୍ତ ବିଶେଷ କରି ମହାରାଷ୍ଟ୍ର, ସୁରତ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ଓ ତେଲେଙ୍ଗାନାରୁ ଗଜପତିକୁ ଫେରିଥିବା କୁହାଯାଇଛି । ଗଜପତି ଜିଲ୍ଲାର ଲୁହାଗୁଡା, ଶିକୁଳିପଦର ପିଣ୍ଡିକି, ରାୟଗଡ଼, କାଶୀନଗର, ଏବଂ ପାରଳାଖେମୁଣ୍ଡି ସହରର ଗଜପତି କଲେଜ ନିକଟସ୍ଥ ଏସ୍ଟିଏସ୍ସି ହଷ୍ଟେଲ୍ରେ ଖୋଲା ଯାଇଥିବା କ୍ୱାରାନ୍ଟାଇନ୍ କେନ୍ଦ୍ରରେ ଏମାନଙ୍କୁ ରାଖାଯାଇଥିବା ସୂଚନା ଦିଆଯାଇଛି । ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ନିୟମ ଅନୁଯାୟୀ ମାଗଣା ଖାଦ୍ୟପେୟ ସହ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସମଗ୍ର ଗଜପତି ଜିଲ୍ଲାରୁ ବର୍ତମାନ ସୁଦ୍ଧା ୬୭୧ ଜଣଙ୍କ ସ୍ୱାବ ସଂଗ୍ରହ କରି ରିପୋର୍ଟ ପାଇଁ ପଠାଯାଇଥିଲା । ସେଥିରୁ ୫୮୯ ଗୋଟି ନେଗେଟିଭ ଥିବା ବେଳେ ୮୨ ଗୋଟି ରିପୋର୍ଟ ଆସି ନଥିବା ଜଣାପଡିଛି ।


