ଗଜପତିରୁ ଆନ୍ଧ୍ରକୁ ଦେଶୀମଦ ଚାଲାଣ ବେଳେ ଆନ୍ଧ୍ର ପୋଲିସ ଦ୍ୱାରା ୪ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଓଡିଶାର ଗଜପତିରୁ ଆନ୍ଧ୍ରକୁ ଦେଶୀମଦ ଚୋରା ଚାଲାଣ ବେଳେ ଆନ୍ଧ୍ର ପୋଲିସ ଦ୍ୱାରା ୪ଜଣ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଗୋଷାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର କିଛି ଯୁବକ ବାଇକ ଯୋଗେ ପଡୋଶୀ ଆନ୍ଧ୍ର ରାଜ୍ୟକୁ ଚୋରା ଦେଶୀ ମଦ ଚାଲାଣ କରୁଥିବାବେଳେ ଆନ୍ଧ୍ର ପ୍ରଦେଶର ଟେକାଲି ମଣ୍ଡଳମର ଅବକାରୀ ବିଭାଗର ହାତରେ ଧରାପଡିଛନ୍ତି । ଏମାନଙ୍କ ନିକଟରୁ ମୋଟ ୯ଶହ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଏ ସମ୍ପର୍କରେ ଗଜପତି ଅବକାରୀ ବିଭାଗ କିମ୍ବା ପୋଲିସ ବିଭାଗ ପାଖରେ କୌଣସି ଖବର ନଥିବାବେଳେ ଏମାନଙ୍କୁ ସୀମାନ୍ତବର୍ତ୍ତୀ ମେଳିଆପୁଟି ମଣ୍ଡଳରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ କାବୁ କରିଥିଲେ । ଏମାନେ ଏକ ହିରୋହୁଣ୍ଡା ସ୍ଲେଣ୍ଡର ବାଇକ ଏପି ୩୧ ଏଡି ୫୯୫ ଏବଂ ଏକ ଅଟୋରିକ୍ସା ନମ୍ବର ଏପି୩୦ ଡବ୍ଲ୍ୟୁ ୩୭୨୬ ଜରିଆରେ ୯ଶହ ଗୋଟି ପାଉଚ ଯାହାକି ଆନୁମାନିକ ୯ଶହ ଲିଟର ହେବ ବୋଲି ଜଣାପଡିଛି । ଏହି କାରବାରରେ ଗୋଷାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ଏସ.ତିରୁପତି, ଏନ୍.ବାଳକ୍ରିଷ୍ଣା, ଜେନା ସନ୍ତୋଷ, ସାଇଲଡା ସଞ୍ଜୀବ ସମ୍ପୃକ୍ତଥିବାବେଳେ ଏମାନଙ୍କୁ ଆନ୍ଧ୍ର ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ତେବେ ବର୍ତ୍ତମାନ କରୋନା ସମୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ମୁତୟନ ରହିଥିବାବେଳେ ଏମାନଙ୍କ ଉପରେ କିପରି ଦୃଷ୍ଟି ନଜର ପଡିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।