ଗଜପତିରୁ ନିଖୋଜ ନାବାଳକ ଆନ୍ଧ୍ରପ୍ରଦେଶର ଇଛାପୁରରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅମର ବୈଷ୍ଣବ ଦଳାଇ (୧୨) ନାମକ ନାବାଳକ ଗତକାଲି ଠାରୁ ନିଖୋଜ ଥିଲେ । ଗତକାଲି ସନ୍ଧ୍ୟା ସମୟରେ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଇଛାପୁର ସହରରୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସକାଳ ପ୍ରାୟ ୭ଘଣ୍ଟା ସମୟରେ ଗୁରାଣ୍ଡି ଗ୍ରାମରେ ରହୁଥିବା ଅମରଙ୍କ କକା ସ୍ୱର୍ଗତ ଗଣେଶ ରାଉତଙ୍କ ଘରୁ ସାଇକେଲ ନେଇ ବାହାରିଥିଲେ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ କକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ହେଲେ ସନ୍ଧ୍ୟା ସମୟରେ ଅମରଙ୍କୁ ଆନ୍ଧ୍ରରର ଇଛାପୁର ସହରରୁ ଉଦ୍ଧାର କରାଯାଇଥିବା ଖବର ପାଇ ଆଶ୍ୱସ୍ଥି ପ୍ରକଟ କରିଥିଲେ । ଘଟଣାଟି ଏପରି ଥିଲା ଯେ, ଅମର ସାଇକେଲ ଯୋଗେ ଦାଦାଘର ଲୋକଙ୍କୁ କାହାରିକୁ କିଛି ନ ଜଣାଇ ବ୍ରହ୍ମପୁରରେ ରହୁଥିବା ନିଜ ବାପା ପ୍ରଦୀପ ଦଳାଇ ଏବଂ ମାତା ସ୍ମିତା ଦଳାଇଙ୍କ ନିକଟକୁ ବାହାରିଥିଲେ । ହେଲେ ଆନ୍ଧ୍ରର ଇଛାପୁର ସହର ଠାରେ ସାଇକେଲଟି ଖରାପ ହେବାରୁ ସେଠାରେ ବିଚରଣ କରୁଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ସନ୍ଦେହ କରି ଅମରଙ୍କୁ ପଚରା ଉଚରା କରିଥିଲେ । ଏହାପରେ ଅମର ଠାରୁ ଫୋନ ନମ୍ବର ନେଇ ବ୍ରହ୍ମପୁରରେ ରହୁଥିବା ତାଙ୍କ ବାପା ପ୍ରଦୀପଙ୍କୁ ଫୋନ କରି ଜଣାଇଥିଲେ । ଏହାପରେ ପ୍ରଦୀପ ଦଳାଇ ଇଛାପୁର ଠାରେ ପହଂଚି ଅମରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସ୍ଥିତ ନିଜ ବାସଭବନକୁ ନେଇ ଯାଇଥିବାର ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଅମରଙ୍କ ବାପା ପ୍ରଦୀପ ଦଳାଇ ବ୍ରହ୍ମପୁରର ଏକ ଘରୋଇ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟକରନ୍ତି । ତେବେ ଅମର ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଠାରେ ରହୁଥିବା ଶିକ୍ଷକ ରବୀନ୍ଦ୍ର ରାଉତଙ୍କ ଯିଏକି ଅନ୍ୟ ଜଣେ କକା ତାଙ୍କ ଘରେ ରହି ପାଠ ପଢୁଥିଲେ । ସ୍କୁଲ ବନ୍ଦ ଥିବା ଯୋଗୁଁ ସେ ଗୁରାଣ୍ଡି ଗ୍ରାମକୁ ଆସି ରହୁଥିଲେ । ଅମରଙ୍କ ସନ୍ଧାନ ତଥା ଉଦ୍ଧାର ହୋଇଥିବା ଖବର ପାଇ ଗୁରାଣ୍ଡି ଗ୍ରାମବାସୀ ଆଶ୍ୱସ୍ଥ ପ୍ରକଟ କରିଛନ୍ତି ।