ଗଜପତିରୁ ପୁଣି ୧୮କୋଟି ମୁଲ୍ୟର ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଜିଲ୍ଲା ଏସପି ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ପୁଣି ୧୮କୋଟିରୁ ଉର୍ଦ୍ଧ୍ୱ ମୁଲ୍ୟର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଅରଖପଦା ମୌଜାର ପିଠାଖାରୀ ଗ୍ରାମାଞ୍ଚଳର ୯୧.୯୮୨୪ ଜମିର ହେଉଥିବା ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ଏହି ୯୧.୮୨୪ ଜମିରେ ପ୍ରାୟ ୧ଲକ୍ଷ ୮୩ ହଜାର ୬୪୮ ଗଞ୍ଜେଇ ଗଛକୁ କାଟି ଏକାଠି କରି ପୋଡାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୮ କୋଟି ୩୬ ଲକ୍ଷ ୪୮ ହଜାର ଟଙ୍କା ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉରେ ଅବକାରୀ, ବନ ବିଭାଗ, ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଘଟଣାରେ କୌଣସି ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇନାହିଁ । ଏହି ଚଢାଉ ବେଳେ ନୂଆଗଡର ବିଡିଓ ତଥା ତହସିଲଦାର ଲବାଣେନ୍ଦୁ ମହାନ୍ତି ମାଜିଷ୍ଟେଟ ଭାବେ ଉପସ୍ଥିତ ଥିଲେ ।