ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ଦମ୍ପତ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୮ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଉତ୍ତର ପ୍ରଦେଶ ରାଜ୍ୟର ମୁରାଦାବାଦ ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଗତ ଲକ୍ଡାଉନ ଏବଂ ସଟ୍ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ପାରଳାଖେମୁଣ୍ଡି ଠାରେ ଥିବା କେନ୍ଦ୍ର “ନିସାନ ସାଲୋମ”ରେ ରଖାଯିବା ସହ ସେମାନଙ୍କର ବିବରଣୀ ତଥା ପୋଷ୍ୟତା ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା । ପରବର୍ତ୍ତି ମୂହୁର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେ କୌମସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ୩ ବର୍ଷ ଧରି ଏକ ପୁତ୍ର ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥଲେ । ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଗଜପତି ପ୍ରସ୍ତୁତ କରିଥିଲେ । ପରବର୍ତ୍ତି ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଶିଶୁଟିକୁ ଉତ୍ତର ପ୍ରଦେଶର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା । ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିବା ବେଳେ ଏହାର ବୟସ ମାତ୍ର ୪ ମାସ ହୋଇଥିଲା । ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରପ୍ରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।