ଗଜପତିରୁ ବିହାର ଚାଲାଣ ବେଳେ ପୁଣି୯ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପକ୍ଷରୁ ଗଞ୍ଜେଇ ଚଢଉ କରାଯାଇ ୯ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ନାବାଳିକାଙ୍କ ସହ ୫ଜଣଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୋହନା ଥାନା ପକ୍ଷରୁ ଏସ୍‌ଆଇ ଲିଜା ଏବଂ ତାଙ୍କ ଦଳୀୟ ଟିମ୍ ମୋହନା ଠାରୁ ବଡଗଡ ରାସ୍ତାରେ ଥିବା ଜରାଉ ଘାଟି ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟାମାଞ୍ଜା କାରକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେଥିରୁ ୪ଗୋଟି ବଡ ବ୍ୟାଗରେ ଗଞ୍ଜେଇ ବରାମତ କରିଥିଲେ । ଓଜନ ପରେ ଏହି ଗଞ୍ଜେଇ ସମୁଦାୟ ୧୩୨କେଜି ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷଟଙ୍କା ହେବ ବୋଲି ଆକଳନ କରାଯାଇଛି । ଘଟଣାରେ ଜଣେ ନାବାଳିକା ଥିବାରୁ ତାଙ୍କୁ ଅଟକ ରଖାଯାଇ ପଚରା ଉଚରା କରୁଥିବା ବେଳେ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଆର୍‌.ଉଦୟଗିରି ଥାନା ଅଞ୍ଚଳର ସଞ୍ଜିବ ବୀର, ବିହାର ରାଜ୍ୟର ବେଗୁସରାଇ ଅଞ୍ଚଳର ସନ୍ତୋଷ ସାହାଣୀ, ଛତିଶ ମହନ୍ତ ଓ ଦିଲ୍ଲୋ କୁମାର ମହନ୍ତ । ଏମାନେ ବରିପଦର ଗ୍ରାମ ଠାରୁ ବେଗୁସରାଇ ଅଞ୍ଚଳକୁ ଉକ୍ତ ଗଞ୍ଜେଇକୁ ଚାଲାଣ କରାଯାଉଥିବାର ସ୍ୱୀକାର କରିଥିବାର ଥାନା ସୂତ୍ରରୁ ପ୍ରକାଶ । ଏ ନେଇ ମୋହନା ଥାନାରେ କେସ ନଂ୧୬୯/୨୧ରେ ଅବକାରୀ ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ ହୋଇଥିବାର ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ