ଗଜପତିରେ“ତିତ୍ଲି” ବାତ୍ୟାକୁ ୨ବର୍ଷ ପୁରିଲା ପିତାମାତାଙ୍କୁୁ ହରାଇଥିବା ପିଲାଙ୍କୁ ହସ ଫୁଟାଇବା ପାଇଁ ଜିଲ୍ଲାପାଳ କ୍ର୍ରିକେଟ ଖେଳିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):“ତିତ୍ଲି” ବାତ୍ୟାକୁ ଦୁଇବର୍ଷ ପୁରିଥିବାବେଳେ ସେହି ବାତ୍ୟାରେ ବାପା ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ହସ ଫୁଟାଇବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭେଟି ସମୟ ବିତାଇଥିଲେ । ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ତିତ୍ଲି” ବାତ୍ୟାପରେ ଘୋଷଣା କରିଥିଲେ ଯେ ଅନାଥ ହୋଇଥିବା ପିଲାଙ୍କୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ । ତା ପରେ ଗଜପତି ଜିଲ୍ଲା ପ୍ରଶାସନ ସେହି ପିଲାମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଇଥିଲେ । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ୬ ଜଣ ପୁଅ ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ୍.ଉରୁଡା ସ୍ଥିତ ବିବେକାନନ୍ଦ ଆବାସିକ ବିଦ୍ୟାଳୟ (ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ)ରେ ରହି ଆସୁଥିବାବେଳେ ଗୋଟିଏ ଝିଅ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ବ୍ଲାଇଣ୍ଡ ଆଣ୍ଡ ରିଲିଫ କେନ୍ଦ୍ରରେ ରହି ଆସୁଅଛି । ଏହି ପିଲାମାନଙ୍କର ଖାଇବା, ରହିବା, ପଢିବା, ପିନ୍ଧିବା ଏବଂ ଯାବତୀୟ ଖର୍ଚ୍ଚ ରାଜ୍ୟ ସରକାର ତୁଲେଇ ଆସୁଛନ୍ତି । ଜିଲାପାଳ ଏହି ଗସ୍ତ ସମୟରେ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଗହଣରେ ବସି ମିଠା ଖାଇଥିଲେ । ପରବର୍ତ୍ତି ସମୟରେ ଜଲ୍ଲାପାଳ କ୍ରିକେଟ୍ ଏବଂ ବ୍ୟାଡମିଣ୍ଟନ ଖେଳିଥିଲେ । ଏହାପରେ ପ୍ରତି ପିଲାଙ୍କର ଜଣ ଜଣ କରି ଭଲମନ୍ଦ ବୁଝିବା ସହ ପାଠପଢା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । “ତିତ୍ଲି” ବାତ୍ୟାରେ ଅନାଥ ହୋଇଥିବା ଗୋଟିଏ ପିଲା ସିମାଞ୍ଚଳ ଶବର ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ପରୀକ୍ଷା ଦେଇ ଏକ ଉତ୍ତିର୍ଣ୍ଣ ହୋଇ ପ୍ରବେଶ କରିଥିବା ଖବର ଶୁଣି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ । ଏହାସହ ପିଲାମାନଙ୍କ ପାଇଁ ବ୍ୟାଡମିଣ୍ଟନ ଖେଳର ସାମଗ୍ରୀ, କ୍ରିକେଟ ଖେଳ ସାମଗ୍ରୀ, ସୋଲାର ଲାଇଟ୍ ଯୋଗାଣ କରିବା ସହ ଆବଶ୍ୟକ ଥିବା ପାଚେରୀ ତିଆରି କରିବାପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତଥିଲେ ।


