ଗଜପତିରେ ଅଦିନିଆ ବର୍ଷା ଓ କୁଆପଥର ମାଡରେ ଉଜୁଡିଲା ଫସଲ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗୁମ୍ମା ବ୍ଲକ ଅଞ୍ଚଳରେ ହୋଇଥିବା ଅଦିନିଆ ବର୍ଷା ଏବଂ କୁଆପଥର ମାଡ ଯୋଗୁଁ ଅନେକ ଫସଲ ଉଜୁଡି ଯାଇଥିବାର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବାସଗୃହ ସମେତ ଅନେକ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଛି । ଏହାର ପ୍ରଭାବରେ କିଛି ପଶୁପକ୍ଷୀ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ଅଞ୍ଚଳରେ ହୋଇଥିବା ଅନେକ ପରିବା ଫସଲ ନଷ୍ଟ ହୋଇଥିବାରୁ ଚାଷୀକୂଳ ଏହାକୁନେଇ ଚିନ୍ତିତ ହୋଇପଡିଛନ୍ତି । ହଠାତ ଅଦିନିଆ ବର୍ଷାକୁ ପ୍ରବଳ କୁଆପଥର ମାଡ ଚାଷୀଙ୍କ ମେରୁଦଣ ଭାଙ୍ଗିଦେଇଛି । ଦୀର୍ଘଦିନର ଅକ୍ଲାନ୍ତ ପରିଶ୍ରମ ଏବଂ ଧାରକରଜକରି ଯାହା ଅର୍ଥ ବିନିଯୋଗ କରିଥିଲେ ସେ ସବୁ ଧୂଳିସାତ ହୋଇଯାଇଛି ବୋଲି ଅନେକ ଚାଷୀ କହିଛନ୍ତି । ଜିଲାର ଗୁମ୍ମାବ୍ଲକରେ ଶତକଡା ୬୮ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ହେଲେ ଏପରି ଅଦିନିଆ ବର୍ଷା ଏବଂ କୁଆପଥର ଚାଷୀଙ୍କ ମୁହଁରୁ ହସ ଛଡାଇନେଇଛି । କ୍ରମାଗତ ଘଡଘଡି ସହ ପ୍ରବଳ କୁଆପଥର ମାଡରେ ଅନେକ କୁକୁଡା ମୃତ୍ୟୁବରଣ କରିଛନ୍ତି । ସେହିପରି ବ୍ଲକର ବଡକଳାକୋଟ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିସିଂ ଗ୍ରାମରେ ଘଡଘଡି ଓ କୁଆପଥ ମାଡ ଯୋଗୁଁ ପିରିନ କାର୍ଯୀଙ୍କ ବାସଗୃହ ନଷ୍ଟ ହୋଇପଡିଛି । ଘର ଚାରିଆଡୁ କାନ୍ଥ ଭୂଷୁଡିବା ଦ୍ୱାରା ପିରିନ ଏବଂ ତାଙ୍କ ସ୍ତ୍ରୀ ପ୍ରିସ୍ତି କାର୍ଯୀଙ୍କୁ ଆଘାତ ଲାଗିଥିଲା । ଆହାତ ପ୍ରିସ୍ତିଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାର ଜଣାପଡିଛି । ଖବରପାଇ ଗୁମ୍ମା ତହସିଲଦାର ନଟବର ଗରଡା ଘଟଣାସ୍ଥଳରେ ପହଞ୍ôଚ ସ୍ଥିତିର ଅନୁଧ୍ୟାନ କରିଥିଲେ । ତାଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।