ଗଜପତିରେ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିବା ବେଳେ ସଂଘର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ୩ଟି ପ୍ରସ୍ତାବ ଗୃହୀତ ହୋଇଥିଲା । ସେଗୁଡିକ ହେଲା ସହରରେ ଥିବା ଖାଲଖମା ରାସ୍ତାଘାଟ ଗୁଡିକୁ ଠିକ୍ ଭାବେ ମରାମତି ପାଇଁ ଦାବି ଉପସ୍ଥାପନ କରିବା, କୁକୁରଙ୍କ ପ୍ରାଦୁର୍ଭବକୁ ରୋକିବା ଲାଗି ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ଓ ବିଦ୍ୟୁତ ବିଲ୍ ଗୁଡିକୁ ବିଭାଗୀୟ କର୍ମଚାରୀ ଆସି ବାହାରେ ପକାଇଦେଉଥିବା ଏବଂ ଏହା ଉପଭକ୍ତାମାନେ ପାଇ ନ ପାରି ହଇରାଣ ହେବା ଉପରେ ଆଲୋଚନା ହୋଇଥିଲା । ଏସବୁକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ପାଖରେ ଦାବି ଉପସ୍ଥାପନ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଖାଲଖମା ଓ କୁକୁରଙ୍କ ପ୍ରାଦୁର୍ଭବ ଯୋଗୁଁ ବରିଷ୍ଠ ନାଗରିକମାନେ ବିଭିନ୍ନ ସମୟରେ ପଡି ଖଣ୍ଡିଆଖାବରା ହେବା ସହ କୁକୁର କାମୁଡାର ଶିକାର ହେଉଥିବାର ଅଭିଯୋଗ କରିଛନ୍ତି । ଏହା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗାଭତ୍ତା ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଗଲା । ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଜଗଦୀଶ ଚନ୍ଦ୍ର ମହାପାତ୍ର ଗତ ସଭାର ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଭକ୍ତରାମ ପଟ୍ଟନାୟକ, ଶେଷଦେବ ପଟ୍ଟନାୟକ, ସୁରେଶ ଦାସ, ହରିଶ୍ଚନ୍ଦ୍ର ମହାଙ୍ଗୁଡ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ ଶେଷରେ ଲବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


