ଗଜପତିରେ ଆତ୍ମନିଯୁକ୍ତି ପାଇଁ ଛତୁ ଚାଷ ତାଲିମ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ୟୁନିଅନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡକଳାକୋଟ ଗ୍ରାମରେ ଛତୁ ଚାଷ ତାଲିମ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ ଆର୍ସେଟିର ନିର୍ଦ୍ଦେଶକ ଅଚୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବା ବେଳେ ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ତାଲିମ ଶିବିର ୧୦ଦିନ ପର୍ଯ୍ୟନ୍ତ ଚାଲୁ ରହିବାସହ ବଡକଳାକୋଟ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏବଂ ବେକାର ଯୁବକଯୁବତୀମାନେ ମୋଟ ୩୫ ଜଣ ଛତୁ ଚାଷର ତାଲିମ ଦିଆଯିବା ସ୍ଥିର ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ, ଗୁମ୍ମା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ ଯୋଗ ଦେଇ ତାଲିମାର୍ଥୀଙ୍କୁ ଶୃଙ୍ଖଳିତ ଭାବେ ତାଲିମ ନେବା ପାଇଁ ପରାମର୍ଶ ଦେଇଥିଲେ । ତାଲିମ ଶେଷ ପରେ ନିଜ ନିଜ ଅଞ୍ଚଳରେ ଏହି ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ମଧ୍ୟ ରୋଜଗାର ପନ୍ଥା ଦେବାପାଇଁ ସହାୟକ ହୁଅନ୍ତୁ ବୋଲି ମଧ୍ୟ ଏମାନେ ବକ୍ତବ୍ୟରେ କହିଥିଲେ ।


