ଗଜପତିରେ କାର୍ତ୍ତିକ ପୁର୍ଣିମା ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଶାଣୀ, ଗୁମ୍ମା, କାଶୀନଗର ଆଦି ଅଞ୍ଚଳରେ କାର୍ତ୍ତିକ ପୁର୍ଣିମାକୁ ଆଜି ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଛି. ଲୋକେ ଆଜି ଭୋର ସକାଳୁ ସମୟରେ ଜିଲ୍ଲାର ବିଭିନ୍ନ ନଦୀ, ସାଗର ଓ ପୋଖରୀ ଆଦିରେ ଡ଼ଙ୍ଗା ଭସାଇ ଥିଲେ. ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନଦୀ, ରାମସାଗର, ଦଳବନ୍ଧ ଆଦି ବିଭିନ୍ନ ଜଳାଶୟରେ ଡ଼ଙ୍ଗା ଭସାଇ ଥିଲେ. ଆଜି ସକାଳୁ ସକାଳୁ ପାରଳାଖେମୁଣ୍ଡି ସହରର ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀରାଧାକୃଷ୍ଣ ମନ୍ଦିର, ଶ୍ରୀଭେଙ୍କେଟଶ୍ୱର ମନ୍ଦିର ସମେତ ସହରରେ ଥିବା ସମସ୍ତ ଶିବାଳୟରେ ଲୋକଙ୍କ ଭିଡ଼ ବେଶ ଜମିଥିଲା. ଅନେକ ମହେନ୍ଦ୍ରତନୟା ତଟରେ, ବିଭିନ୍ନ ମନ୍ଦିର ନିକଟରେ, ଆମ୍ବ ତୋଟା ଆଦିରେ ଭୋଜି ଭାତ କରି ଅତ୍ୟନ୍ତ ଆନନ୍ଦ ସହକାରେ କାର୍ତ୍ତିକ ପୁର୍ଣିମା ପାଳନ କରିବା ଲକ୍ଷ୍ୟ କରାଯାଇଛି.