ଗଜପତିରେ ଗଢିଲା ପାଣିପଞ୍ଚାୟତ ସଚେତନ ରଥ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରୁ ଜିଲା କ୍ଷୁଦ୍ର ଜଳସେଚନ ବିଭାଜିକା ପକ୍ଷରୁ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏହି ରଥକୁ ଜିଲାପାଳ ଅନୁପମ ସାହା ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ରଥ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ପରିଭ୍ରମଣକରି ପାଣିପଞ୍ଚାୟତର ଉଦ୍ଦ୍ୟେଶ ଏବଂ ତାହାର ଆବଶ୍ୟକତା ବିଷୟରେ ଜନସଚେତନତା କରାଇବ । ପାଣିପଞ୍ଚାୟତ ଗଠନ କରି ତାହା ଦ୍ୱାରା କୃଷିର ମାନବୃଦ୍ଧିକରି କୃଷକ ମାନଙ୍କର ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବା ଆବଶ୍ୟକ ବୋଲି ଏହି ପାଣିପଞ୍ଚାୟତ ରଥ ଲୋକମାନଙ୍କୁ ସଚେତନ କରିବ । ପାଣିପଞ୍ଚାୟତ ସହାୟତାରେ କିପରି ଭାବେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସ୍ରୋତ ଗୁଡିକରୁ ସଠିକ ଭାବେ ଚାଷ ଜମିକୁ ଜଳ ସେଚନର ବ୍ୟବସ୍ଥା କରାଯାଇପାରିବ ସେ ବିଷୟରେ ଏହି ରଥ ସଚେତନ କରିବ । ପାଣି ପଞ୍ଚାୟତ ବ୍ୟବସ୍ଥା ମୁଖ୍ୟତଃ କୃଷକମାନଙ୍କ ପାଇଁ ସେମାନଙ୍କ ଜମିରେ କିପରି ଭାବେ ଜଳସେଚନ ବ୍ୟବସ୍ଥା କରାଯାଇପାରିବ ସେ ବିଷୟରେ ବିଶେଷ ଦୃଷ୍ଟି ଦେବା । ସେହିପରି ଭାବେ ଅନେକ ସ୍ଥାନରେ ବିଦ୍ୟୁତ ନଥିଲେ ମଧ୍ୟ ସେଠାରେ ସୌରଶକ୍ତିକୁ ଉପଯୋଗ କରି କିପରି ଜଳସେଚନ ବ୍ୟବସ୍ଥା କରାଯାଇପାରିବ ଏବଂ ସେଠାରେ ଉତ୍ତମ ଚାଷ ହୋଇପାରିବ ତାହା ମଧ୍ୟ ପାଣି ପଞ୍ଚାୟତର ଏକ ମୁଳ ଉଦ୍ଦ୍ୟେଶ ବୋଲି ଏହି ରଥ ଲୋକମାନଙ୍କ ସଚେତନ କରିବ । ଏହି ରଥ ଜିଲାର ୭ଗୋଟି ବ୍ଲକର ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରି ସଚେତନତା କାର୍ଯ୍ୟ କରିବ ବୋଲି ଜିଲା କ୍ଷୁଦ୍ର ଜଳସେଚନ ବିଭାଜିକାର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ରାଉତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ