ଗଜପତିରେ ଘୁଷୁରୀ ମଡକ: ୭ଦିନରେ ମଲେଣି ଶହେରୁ ଉର୍ଦ୍ଧ୍ୱ , ସାଧାରଣରେ ଆତଙ୍କ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ଠାରେ ଘୁଷୁରୀ ମଡକ ଦେଖାଦେଇଛିି । ଗତ ୭ଦିନ ମଧ୍ୟରେ ୧ଶହରୁ ଉର୍ଦ୍ଧ ଘୁଷୁରୀ ମରିଥିବା ଅଭିଯୋଗ ହୋଇଛି । ଗ୍ରାମର ସ୍ଥାନେ ସ୍ଥାନେ ପ୍ରତ୍ୟେକ ସାହିର ଗଳିକନ୍ଦିରେ ଘୁଷୁରୀ ଗୁଡିକ ମରି ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଛି । କରୋନା ସଂକ୍ରମଣ ଗଜପତିରେ ବଢି ଚାଲିଥିବା ବେଳେ ଏଭଳି ପରିବେଶ ଯୋଗୁଁ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବା ସହ କିଛି ଅଜଣା ରୋଗର ସଂକ୍ରମଣ ଦେଖା ଦେଇ ପାରେ ବୋଲି ସାଧାରଣ ପ୍ରକାଶ କରିଛନ୍ତି । ଘୁଷୁରୀ ଗୁଡିକ ବିଭିନ୍ନ ସ୍ଥାନରେ ମରି ପଡିବା ଏବଂ ଏ ଗୁଡିକୁ ସଫା ନ କରିବା ଯୋଗୁଁ ପରିବେଶ ଦୁଷିତ ଓ ଗନ୍ଧମୟ ହୋଇ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ରୋଗ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବ୍ଲକ ପ୍ରଶାସନ କିମ୍ବା ଘୁଷୁରୀ ପାଳକମାନେ ମୃତ ଘୁଷୁରୀକୁ ଉଠାଇବାରେ ନୀରବଦ୍ରଷ୍ଟା ସାଜି ଥିବା ଦେଖିବାକୁ ମିଳୁଛି । ପୁରା ଗ୍ରାମ ଦୁର୍ଗନ୍ଧମୟ ହେଲେ ମଧ୍ୟ ବ୍ଲକ ପ୍ରଶାସନ କିମ୍ବା ଗ୍ରାମ ପଞ୍ଚାୟତ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟିଦେବାକୁ ଦାବୀ ହେଉଛି । ରାୟଗଡରେ ଗତ ଏକ ସପ୍ତାହ ଧରି ଘୁଷୁରୀ ମଡକ ଆତଙ୍କ ଦେଖା ଦେଇଥିବା ବେଳେ ଗ୍ରାମର ଖ୍ରୀଷ୍ଟିୟାନ ସାହି, ପୋଲିସ ଥାନା ପରିସର, ଯୋକବନ୍ଧ, ବିଶୋୟୀ ସାହି, କୁମ୍ଭାର ସାହି, ବାଢେଇ ସାହି, ଗୌଡ ସାହି ବନ୍ଧ ଇତ୍ୟାଦି ଅଞ୍ଚଳରେ ଘୁଷୁରୀ ଗୁଡିକ ମରି ପଡିଛନ୍ତି । ଏ ନେଇ ଦାୟୀତ୍ୱରେ ଥିବା ଗଜପତି ଜିଲ୍ଲା ପ୍ରାଣୀଧନ ଜିଲ୍ଲା ଚିକିତ୍ସାଧିକାରୀ ଅରବିନ୍ଦ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି,୧୦/୧୫ ଗୋଟି ଘୁଷୁରୀ ମରି ଥିବା ଖବର ମିଳିଛି । ତଥାପି ରାୟଗଡ ଠାରେ ଘୁଷୁରୀ ପାଳନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଏହାର ପ୍ରତିଷେଧକ ଓøଷଧ ପ୍ରଦାନ କରାଯାଇଛି । ଲଗାତର ବର୍ଷା ଯୋଗୁଁ ଘୁଷୁରୀମାନଙ୍କ ଶ୍ୱାସନଳୀ ଜନିତ ରୋଗ ଯୋଗୁଁ ଘୁଷୁରୀଙ୍କ ମୃତ୍ୟୁ ଘଟୁଥିବା ସେ କହିଛନ୍ତି ।