ଗଜପତିରେ ଚାଷୀଙ୍କ ଦୁର୍ଦ୍ଦଶା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଧାନ ବିକ୍ରୀ ପାଇଁ ପ୍ରଶାସନ ଚାଷୀଙ୍କୁ ଟୋକେନ୍ ପ୍ରଦାନ କଲେ । ହେଲେ ଧାନ କ୍ରୟ କରିବା ପାଇଁ ରହିଥିବା ମିଲର ଟାର୍ଗେଟ ସରିଥିବା ଦର୍ଶାଇ ଧାନ କିଣିବା ପାଇଁ ମନା କରିଥିବା ଜଣାଯାଇଛି । ହୁଡୁହୁଡୁ,ତିତିଲି ଆଦି ମହାବାତ୍ୟା ଏବଂ କିଛି ବର୍ଷ ପୁର୍ବେ ବର୍ଷାଭାବ ଯୋଗୁଁ ମରୁଡି ଆଦି ନେଇ ଚାଷୀ କୃଷକମାନେ ଫସଲ ହରାଇ ଧାର କରଜରେ ବୁଡି ରହିଥିବା ବେଳେ ଚଳିତ ବର୍ଷ ବହୁ କଷ୍ଟରେ ଧାନ ଫସଲ ଅମଳ କରିଥିଲେ । ହେଲେ ଅମଳ ଧାନକୁ ବିକ୍ରୀ କରି ନ ପାରି ଆର୍ଥିକ ଅନାଟନ ମଧ୍ୟରେ ସଢୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡ କତ୍ତୁରୁ ଗ୍ରାମର ଚାଷୀ ପି.ଦିଲେଶ୍ୱର ରାଓ,ୱାଇ.ଲୋକନାଥ,ଜି.ସନୁମୁଖ ରାଓ,ପି.ପ୍ରବିଣ ପ୍ରମୁଖ କହିଛନ୍ତି,ସରକାରଙ୍କ ପ୍ରଣୟନ ନୀତି ନିୟମ ଯୋଗୁଁ ବହୁ କଷ୍ଟରେ ଆର୍ଜିତ ଧାନକୁ ବିକି ନ ପାରି ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାରୀ ନିୟମ ଅନୁଯାୟୀ ଧାନ ବିକ୍ରି ପାଇଁ ଚାଷୀକୁ ଯୋଗାଣ ବିଭାଗର ଟୋକେନ୍ ଆବଶ୍ୟକ । ବାରମ୍ବାର ବିନୀତ ଅନୁରୋଧ ପରେ ଧାନ ବିକ୍ରୀ ପାଇଁ ଟୋକେନ୍ ମିଳିଲା । ଆଶା ଥିଲା ଧାନ ବିକ୍ରୀ କରି ଧାର କରଜ ପରିଶୋଧ ସହ ଆଗାମୀ ବର୍ଷ ଫସଲ ଅମଳ ପାଇଁ କିଛି ଅର୍ଥ ସାଇତି ରଖିବୁ । ହେଲେ ଏହି ଅଶା ମଉଳି ଗଲା । ଟୋକେନ୍ ପାଇବା ପରେ ଆମ ସଞ୍ଚିତ ୪୦୦ବସ୍ତା ଧାନକୁ ମଜୁରୀ ଲଗାଇ ମିଲରଙ୍କ ପାଖକୁ ନେଲୁ । ମିଲର କହିଲେ ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ୍ ପୁର୍ଣ୍ଣ ହୋଇ ସାରିଛି । ତେଣୁ ଆଉ ଅଧିକା ଧାନ କିଣି ପାରିବୁ ନାହିଁ । ଏଥିରେ ଚାଷୀ ହତାଶ ହୋଇ ପୁଣି ସେହି ୪୦୦ବସ୍ତା ଧାନକୁ ଫେରାଇ ଆଣିବାକୁ ବାଧ୍ୟ ହେଲୁ । ହେଲେ ଏହି ୪୦୦ବସ୍ତା ଧାନ ସାଇତି ରଖିବା ପାଇଁ ନିଜ ଘରେ ସ୍ଥାନ ନାହିଁ । ତେଣୁ ଘର ନିକଟରେ ଥିବା ରାସ୍ତା କଡରେ ରଖିଛୁ । ଏଗୁଡିକ ବର୍ଷାରେ ଭିଜିବା ସହ ଖରାରେ ସୁଖୁଛି । ରାତ୍ରବେଳା ମୁଷା ଏବଂ ଘୁଷୁରି ଧାନ ବସ୍ତାକୁ କାଟି ଖାଉଛନ୍ତି । ଏଭଳି ଦୁର୍ଦ୍ଦଶାରେ ଗତି କରୁଛୁ ଯେ,ଧାନ ବସ୍ତା ଗୁଡିକ ନଷ୍ଟି ହେଉଥିଲେ ସୁଦ୍ଧା ଦେଖି କିଛି କରିପାରୁ ନାହୁଁ କିମ୍ବା ଅନ୍ୟ ପକ୍ଷରେ କାହାକୁ ବିକ୍ରୀ କରି ପାରୁ ନାହୁଁ । ଏହି ଦୁର୍ଦ୍ଦଶା କେବଳ ଆମ ୪ଜଣ ଚାଷୀଙ୍କର ନୁହେଁ । ଗୋଷାଣୀ ବ୍ଲକର ଅନେକ ଚାଷୀଙ୍କ ଅବସ୍ଥା ଠିକ୍ ଏହିପରି ଅଟେ । ଜିଲ୍ଲା ପ୍ରଶାସନ ଏଥି ନେଇ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଏହି ଚାଷୀମାନେ ଅନୁରୋଧ କରିଛନ୍ତି ।


