ଗଜପତିରେ ନିମ୍ନମାନର କାର୍ଯ୍ୟ ବର୍ଷାରେ ଭାସି ଗଲା ଆସ୍ଥାୟୀ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ ନାଳ ଉପରେ ବ୍ରିଜ ନିର୍ମାଣ ଲାଗି କାମ ଆରମ୍ଭ ହୋଇଥିଲା । କାମ ଆରମ୍ଭରୁ ଏହି ଡାଇଭର୍ସନ ରାସ୍ତାରେ ବ୍ୟାପକ ଅନିୟମିତା ଏବଂ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଥିଲା । ଏଥି ପ୍ରତି ବିଭାଗ ଅଣଦେଖା କରିଥିବାରୁ ଆଜି ଉକ୍ତ ଅସ୍ଥାୟୀ ଡାଇଭର୍ସନ ରାସ୍ତାଟି ଭାସିଯାଇଥିବାର ଆଲୋଚା ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ପୁରାତନ ନାଳ ଉପରେ ବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ହେଁ ତାହା ଠିକ୍ ବର୍ଷା ଦିନ ପୂର୍ବରୁ ଖନନ କରାଯାଇ ଗ୍ରାମବାସୀଙ୍କ ଯାତାୟତ ଲାଗି ଏକ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା । ଯାହାକି ଖରାଦିନେ ଏହି କାମ ହେବାର ଥିଲା ବର୍ତ୍ତମାନ ବର୍ଷା ଦିନରେ କାମ ଆରମ୍ଭ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ହେଲେ ଏହି ଡାଇଭର୍ସନ ରାସ୍ତା ବ୍ୟାପକ ଅନିୟମିତତା ମଧ୍ୟ ରେ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ ଏବଂ ଏହା ଭାଙ୍ଗିବା ପାଇଁ କିଏ ଅନୁମତି ଦେଇଥିଲେ ସେ ନେଇ ଚର୍ଚ୍ଚା ହେଉଛି । ପ୍ରକାଶ ଯେ, ଉକ୍ତ ନାଳର ବ୍ରିଜ ଉପରେ ଡାଳିମ୍ବପୁର, ଅମରା ଏବଂ ରାଟିଣି ଗ୍ରାମାଞ୍ଚଳର ପ୍ରାୟ ୩ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରିଥାନ୍ତି । ଏହି ବ୍ରିଜ ନିର୍ମାଣ ଲାଗି ଗତ ଫେବୃୟାରୀରେ କାମ ଲାଗି ଚୁକ୍ତିନାମା ହୋଇଥିଲା । ବର୍ତ୍ତମାନ ବର୍ଷା ଦିନ ପୂର୍ବରୁ ତଥା ଜୁନ ମାସରେ ଖନନ କରାଯାଇଥିଲା । ଏହା ସହ ଏହି ବ୍ରିଜ ନିର୍ମାଣ ଲାଗି କୌଣସି ଗ୍ରାମବାସୀଙ୍କ ସହ ଆଲୋଚନା ନ କରି ନିର୍ମାଣ କାମ ଆରମ୍ଭ କରିବା, ଡାଇଭର୍ସନ ରାସ୍ତା ନିର୍ମାଣ ବେଳେ ବିଭାଗ ଦ୍ୱାରା ଖାମଖିଆଲି ଢଙ୍ଗରେ ନିର୍ମାଣ କରିବା ଆଦି କଥା ଆଲୋଚନା ହେଉଛି । ବର୍ତ୍ତମାନ ଏହି ଅସ୍ଥାୟୀ ରାସ୍ତା ଭସିଯାଇଥିବାରୁ ଏହି ଅଞ୍ଚଳର ତିନି ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ଦେଇ ଯାତାୟତ କରିବାକୁ ଅମଙ୍ଗ ହେଉଥିବାର ଲକ୍ଷ୍ୟ କରାଯାଇଛି । ଆନ୍ଧ୍ର ଦେଇ ପାରଳା ସହରକୁ ଆସିବାକୁ ହେଲେ ୧୦ରୁ ୧୨ କିମି ରାସ୍ତା ଦୂରତା ଦେଇ ଯାତାୟତ କରିବାକୁ ପଡିବ । ଏହାସହ ଆନ୍ଧ୍ର ଦେଇ ଗମନାଗମନ କଲେ ସେଠାକାର ପୋଲିସ ପ୍ରଶାସନ ବିଭିନ୍ନ ସମୟରେ ଯାନବାହାନ ଯାଞ୍ଚ ନାମରେ ହଇରାଣ ହରକତ କରିଥିବାର ପ୍ରକାଶ କରିଛନ୍ତି । ତେଣୁ ଏହି ଅସ୍ଥାୟୀ ରାସ୍ତା ଭାସିଯିବାରୁ ଏହି ଅଞ୍ଚଳର ଲୋକେ ପାରଳା ସହର ସହ ବିଚ୍ଛିନ୍ନ ହୋଇପଡିଥିବାର କହିଛନ୍ତି । ଅପରପକ୍ଷରେ ବର୍ତ୍ତମାନ ବର୍ଷା ପଡିଥିବା ଯୋଗୁଁ ଚାଷ କାମ ପାଇଁ ପାଗ ଅନୁକୁଳ ଥିବାରୁ ଚାଷୀମାନେ ଚାଷବାସ କାମ ପାଇଁ ସଜବାଜ ହେଉଥିବା ବେଳେ ଆରପାରିରେ ଥିବା ଜମିକୁ ଯିବେ କେମିତି ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗମନାଗମନ ବ୍ୟବସ୍ଥା କରନ୍ତୁ ଏବଂ ଖାମଖିଆଲି ମନୋଭାବ ପୋଷଣ କରିଥିବା ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।


