ଗଜପତିରେ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ବାସ୍ତବ ଠାରୁ ବହୁ ଦୂରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସେମାନେ ନିଯୁକ୍ତି ପାଇଥିବା ସ୍ଥାନ ମାନଙ୍କରେ ନ ରହି ଜିଲ୍ଲା ମହକୁମା ଏବଂ ପଡୋଶୀ ଆନ୍ଧ୍ରରେ ରହୁଥିବା ଯୋଗୁଁ ଗଜପତି ଜିଲ୍ଲାରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକ୍ରମ ବାସ୍ତବ ଠାରୁ ବହୁ ଦୂରରେ ରହିଛି. ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ । ରାଜ୍ୟ ସରକାର ପଞ୍ଚାୟତର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା, ଅନୁଦାନ, ଭିତ୍ତିଭୂମି ସଜାଡ଼ିବା ଲାଗି କୋଟି କୋଟି ଟଙ୍କା ମଞ୍ଜୁର କରିଥାନ୍ତି | ଆଉ ଏହାର ସଫଳ ରୂପାୟନ ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କ ବିକାଶ ନିମନ୍ତେ ସରକାର ବଦ୍ଧପରିକର । ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ସରକାରଙ୍କ ପରିକଳ୍ପନା, ଯୋଜନା ଆଦି ବିଫଳ ହେଉଛି | ପଞ୍ଚାୟତ ନିର୍ବାହୀ ଅଧୂକାରୀ ନିଜ ନିଜ କର୍ମ କ୍ଷେତ୍ରରେ ଉପସ୍ଥିତ ନ ରହିବା ଯୋଗୁଁ ସରକାରୀ କଳ ମନ୍ଥର ହେଉଛି। ପଞ୍ଚାୟତର ଉନ୍ନତି ତଥା ବିକାଶ ଧାରାକୁ ଆଗେଇ ନେବାକୁ ଯେଉଁ ଅଧିକାରୀଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଉଛି ସେମାନେ ସେହି ପଞ୍ଚାୟତ ସହ ଆଖପାଖରେ ମଧ୍ୟ ରହୁନାହାନ୍ତି. ଏପରି ସ୍ଥଳେ ପଞ୍ଚାୟତର ଉନ୍ନତିକରଣ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଉଛି।ଏପରି ଏକ ବ୍ୟତିକ୍ରମ ଘଟଣା ଗଜପତି ଜିଲ୍ଲାରେ ଦେବାକୁ ମିଳୁଛି । ଜିଲ୍ଲାର ୭ବ୍ଳକରେ ୧୪୯ ପଞ୍ଚାୟତ ରହିଥିବା ବେଳେ ଗତ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୧୧୫ ପିଇଓ କ୍ୱାର୍ଟରର୍ସ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା। ହେଲେ ୧୧୫ କ୍ୱାର୍ଟର ନିର୍ମାଣ ମଧ୍ୟରୁ ଅଧିକାଂଶ କ୍ୱାର୍ଟର ନିର୍ମାଣ ଆରମ୍ଭ ହୋଇ ନ ଥିବା ବେଳେ କେତେକ ସ୍ଥାନରେ ନିର୍ମାଣ ସକାଶେ ଭିରି ଭୂମି ସଜଡା ଯାଇଛି। ଅଧପନ୍ତରିଆ ଭାବେ କେତେକ ପଞ୍ଚାୟତର ସଦର ମହକୁମାରେ ନିର୍ମାଣଧନ ରହିଛି । ଏପରିକି କେତେକ ପଞ୍ଚାଯତ ହେଡକ୍ୱାର୍ଟରରେ ପିଇଓ କ୍ରାର୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି | ହେଲେ କ୍ୱାର୍ଟର ନିର୍ମାଣ ଶେଷ ହୋଇଥିଲେ ତାହା ବ୍ୟବହାର କରାଯାଉନାହିଁ। ପିଇଓ ନିଜ ପଞ୍ଚାୟତରେ ରହୁନାହାନ୍ତି। ସେମାନେ ସହରାଞ୍ଚଳରେ ବସବାସ କରି ଯାତାୟତ କରୁଛନ୍ତି। ବିଶେଷ କରି ରାୟଗଡ, ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଳକରେ ନିୟୋଜିତ ପିଇଓଙ୍କ ମଧ୍ୟରୁ ପ୍ରାୟତଃ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କିମ୍ବା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ଗ୍ରାମରେ ରହି ଆସୁଥିବା ନୂଆଗଡ଼, ରା.ଉଦୟଗିରି ଓ ମୋହନା ବ୍ଲକରେ ମାତ୍ର କିଛି ପିଇଓ ମଞ୍ଜୁର ସ୍ଥାନରେ ରହୁଛନ୍ତି I ମୋହନା ଓ ରା. ଉଦୟଗିରି ବ୍ଲକରେ ପିଇଓ ବ୍ଲକ ସଦର ମହକୁମାରେ ରହି ନିଜ ନିଜ କର୍ମ କ୍ଷେତ୍ରକୁ ଯିବାଆସିବା କରୁଛନ୍ତି. ଏପରି ସ୍ଥଳେ ସେମାନେ ନିୟୋଜିତ ଥିବା ପଞ୍ଚାୟତର ବିକାଶ କାମ ତ୍ବରାନ୍ବିତ ହୋଇପାରୁ ନ ଥିବା ଅଭିଯୋଗ ହେଇଛି. ସରକାର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ପିଇଓଙ୍କୁ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମ୍ପୃକ୍ତ ଓ ସକ୍ରିୟ ରହି ଗରିବ ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବାରେ ବେଶ ସହାୟକ ହୋଇପାରିବେ ବୋଲି ନିଯୁକ୍ତ କରିଛନ୍ତି । ହେଲେ ଏହି ଉଦ୍ଦେଶ୍ୟ ପୂରଣ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ପଞ୍ଚାୟତର ସମସ୍ତ ଉନ୍ନୟନକାମର ଚାବିକାଠି ପିଇଓଙ୍କ ହାତରେ ନ୍ୟାସ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଠାରୁ ଆରମ୍ଭ କରି ମନରେଗା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯେପରିକି ହରିଶ୍ଚନ୍ଦ୍ର ସହାୟତା ଯୋଜନା, ସାଧାରଣ ବଣ୍ଟନ ଯୋଜନା, ଗ୍ରାମୀଣ ଗୃହ ଯୋଜନା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଥକ ପୃଥକ ଆବାସ ଯୋଜନା ଆଦି ଭଳି ଗୁରୁ ଦାୟିତ୍ବ ପିଇଓଙ୍କ ଉପରେ ରହିଛି. ଏନେଇ ବିଭାଗୀୟ କୌଣସି କର୍ତ୍ତୃପକ୍ଷଙ୍କୁ ପଚାରିଲେ ବିସ୍ତୃତ ବିବରଣୀ ନ ଦେବା ସହ ମୁହଁ ଖୋଲୁନାହନ୍ତି। ସରକାର ସେମାନଙ୍କ ସୁବିଧା ଲାଗି ପ୍ରତ୍ୟେକ ପଞ୍ଚାଯତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରି ଆବାସିକ ଗୃହ ନିର୍ମାଣ କରୁଛନ୍ତି ହେଲେ ପ୍ରଶାସନିକ ଛାଟ ପଡୁ ନଥିବାରୁ ସମସ୍ତ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇଯାଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା କୁହାଯାଉଛି।