ଗଜପତିରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦେଶ ସ୍ୱାଧୀନତା ହୋଇ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ରାସ୍ତାଘାଟର ଦୁରାବସ୍ଥା ଯୋଗୁଁ ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ, ବୃଦ୍ଧ ଓ ବୃଦ୍ଧା । ସେହିପରି ଉଦାହରଣ ସ୍ୱରୂପ ଗଜପତି ଜିଲ୍ଲାରେ ବହୁ ଗ୍ରାମାଞ୍ଚଳ ଗୁଡିକ ଦୁର୍ଗମ ପରିସ୍ଥିତିରେ ପଡି ରହିଛି । ଯେଉଁଠି କି ନା ଅଛି ରାସ୍ତାଘାଟ ନା କୌଣସି ମୌଳିକ ସୁବିଧା । ଜରୁରୀ ପରିସ୍ଥିତିରେ ଲୋକେ କୌଣସି ଉପାୟ ନ ପାଇ ଖଟିଆରେ ବୋହି ବୋହି ପାହାଡ ଜଙ୍ଗଲଘେରା ପାଦଚଲା ରାସ୍ତାରେ ଯାତାୟତ କରୁଛନ୍ତି । ଏପରି ଏକ ଚିତ୍ର ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ସାନଲୋବା ଅନ୍ତର୍ଗତ କାର୍ଯୀସାହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଜଣେ ମହିଳାଙ୍କୁ ଖଟିଆରେ ବୋହି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରଲ ପରେ ସମସ୍ତ ଘଟଣା ସାମନାକୁ ଆସିଛି । ଗତ ୨୯ ତାରିଖ ଦିନ କାର୍ଯୀସାହି ଗ୍ରାମ ବାସିନ୍ଦା ଗୋବିନ୍ଦ ଶବରଙ୍କ ସ୍ତ୍ରୀ ଉର୍ମିଳା ଶବରଙ୍କ ଗର୍ଭବତୀ ଥିବାରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାରବର୍ଗ ଏବଂ ଗ୍ରାମବାସୀ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ କାର୍ଯୀ ସାହିକୁ ରାସ୍ତା ନଥିବାରୁ ଆମ୍ବଲାନ୍ସ ଆସି ନପାରି ତଲାଉଲ୍ ଗ୍ରାମ ନିକଟସ୍ଥ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆସି ଅପେକ୍ଷା କରିଥିଲା । କାର୍ଯୀସାହି ଗ୍ରାମରୁ ପ୍ରାୟ ୩୦ଜଣରୁ ଉର୍ଦ୍ଧ ଗ୍ରାମବାସୀ ଓ ପରିବାରବର୍ଗ ଏକତ୍ରିତ ହୋଇ ଖଟିଆରେ ୨.୫କିମି ରାସ୍ତା ବୋହିନେଇଥିଲେ ଆମ୍ବୁଲାନ୍ସ ନିକଟକୁ । ସେଠାରୁ ପ୍ରଥମେ ୧୦୮ଆମ୍ବୁଲାନ୍ସ ଯୋଗେ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହୋଇଥିବାରୁ ମହିଳାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା । ଏଠାରେ ଆବଶ୍ୟକୀୟ ଚିକିତ୍ସା ପରେ ଏହା ପ୍ରସବ ବେଦନା ନୁହଁ ବୋଲି କହି ଡାକ୍ତର ପରାମର୍ଶ ଦେଇ ରୋଗୀଙ୍କୁ ସମସ୍ତ ଔଷଧ ପତ୍ର ଯୋଗାଇ ନିଜଗ୍ରାମକୁ ଫେରିଯିବା ପାଇଁ ଉପଦେଶ ଦେଇଥିଲେ । ଏହାପରେ ତାଙ୍କ ସମ୍ପର୍କୀୟମାନେ ଯେପରି ଆସିଥିଲେ ସେହି ମାଧ୍ୟମରେ ନେବା ପ୍ରଣାଳୀ ପ୍ରୟୋଗକରି ୧୦୮ ଡକାଇ ତଲାଉଲୁ ଗ୍ରାମ ମୁଖ୍ୟରାସ୍ତା ଏବଂ ସେଠାରୁ କାର୍ଯୀସାହିକୁ ପୁନର୍ବାର ଖଟରେ ବଝୋଇ ସମସ୍ତେ ମିଳିମିଶି ନେଇଥିଲେ । ବର୍ତ୍ତମାନ ମହିଳା ଜଣକ ନିଜ ଘରେ ସୁସ୍ଥ ଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ