ଗଜପତିରେ ପୁଣି ସ୍ଥିତି ସଂଗିନ: ଆଜି ୩୦ଜଣ ପଜିଟିଭ୍ ଚିହ୍ନଟ, ସଂଖ୍ୟା ଛୁଇଁଲା୫୬୬ରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ପୁଣି ସ୍ଥିତି ସଂଗୀନ ହୋଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୩୦ ଜଣକୁ ମିଶାଇ ସଂଖ୍ୟା ୫୬୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୩୦ଜଣକ ମଧ୍ୟରେ ୧୧ଜଣ ମହିଳା ଏବଂ ୧୯ପୁରୁଷ ଥିବା ଜଣାପଡିଛି । ଏହି ୩୦ଜଣଙ୍କ ମଧ୍ୟରୁ ୨ଜଣ କାଶୀନଗର ବ୍ଲକର,ଜଣେ ଗୋଷାଣୀ ବ୍ଲକ,ରାୟଗଡ ବ୍ଲକର ୫ଜଣ ଓ ମୋହନା ବ୍ଲକର ସର୍ବାଧିକ ୨୨ଜଣ ବୋଲି ସୁଚନା ମିଳିଛି । ଏମାନଙ୍କ ବୟସ ୮ରୁ ୬୯ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଏମାନେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରି କହିଛନ୍ତି,ଆଜି ଠାରୁ ୩ଦିନ ପାଇଁ ପାଳନ ହେଉଥିବା ସଟ୍ଡାଉନ୍କୁ ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ ମାନନ୍ତୁ । ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


