ଗଜପତିରେ ପୁଣି ୧୬ କରୋନା ପଜିଟିଭ୍‌

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ପୁଣି ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆଜି ୩୬ରେ ପହଞ୍ଚିଛି । ଏହି ୧୬ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ବର୍ତ୍ତମାନ ଗଜପତିରେ ୩୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଗଜପତି ଜିଲ୍ଲାରେ ପ୍ରଶାସନ ତରଫରୁ ହାଇ ଆଲାର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସମସ୍ତେ ମହାରଷ୍ଟ୍ର ଫେରନ୍ତା ଗଜପତି ଜିଲ୍ଲାର ପ୍ରବାସୀ ଅଟନ୍ତି । ଏମାନେ ଗତ ୧୮ଓ୧୯ତାରିଖ ଦିନ ମହାରାଷ୍ଟ୍ରରୁ ଗଜପତି ଫେରିଥିଲେ । ଏମାନଙ୍କୁ ଏକ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ନୁତନ ଭାବେ ୧୬ଜଣ ପଜିଟିଭ୍ ପୁଣି ଚିହ୍ନଟ ହୋଇଛନ୍ତି । ୨ଜଣ ମହିଳାଙ୍କ ସମେତ ୧୪ଜଣ ପୁରୁଷ ଏଥିରେ ଅଛନ୍ତି । ମହିଳା ୨ଜଣଙ୍କ ବୟସ ୨୦ ଓ ୨୫ ବର୍ଷ ହୋଇଥିବା ବେଳେ ପୁରୁଷ ମାନଙ୍କ ବୟସ ୧୯ରୁ ୪୫ ବର୍ଷ । ଏଥିରେ ୧୫ବର୍ଷର ଜଣେ ନାବାଳକ ରହିଛନ୍ତି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍‌ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହେଯାଗ କରନ୍ତୁ । ଜିଲ୍ଲାପାଳ ଆହୁରି ସୁଚନା ଦେଇଛନ୍ତି ଯେ,କୌଣସି ଲକ୍ଷଣ ପରିଲକ୍ଷଣ ନ ଥିବାରୁ ବିଭିନ୍ନ ସଂଘରୋଧ କେନ୍ଦ୍ରରୁ ୨୮୦୦ଜଣଙ୍କୁ ସୁସ୍ଥ ଭାବେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ୮୫୯୯ଜଣ ପ୍ରବାସୀ ଫେରିଛନ୍ତି ଏବଂ ଗଜପତି ଜିଲ୍ଲାରୁ ମୋଟ ୨୨୫୭ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ୧୯୨୪ ଜଣଙ୍କ ରିପୋର୍ଟରୁ ୩୬ଜଣ ପଡିଟିଭ୍ ଥିବା ବେଳେ ଅନ୍ୟମାନେ ନେଗେଟିଭ୍ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ